ଅନ୍ତର୍ଜାତୀୟ ସ୍ତରରେ କରାଯାଇଥିବା ଏକ ଅନୁଧ୍ୟାନ ଅନୁଯାୟୀ ବିଶ୍ୱର ସବୁଠାରୁ ୧୦୦ ଉତ୍ତପ୍ତ ସହର ମଧ୍ୟରୁ ୯୫ ଭାରତରେ ଅଛି। ଦିଲ୍ଲୀ, ଲକ୍ଷ୍ନୌ, ଜୟପୁର, ନାଗପୁର, ପ୍ରୟାଗରାଜ ସହରରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଓଡ଼ିଶାର ଝାରସୁଗୁଡ଼ା ୪୫ ଡିଗ୍ରୀ ସେଲ୍ସିୟସ୍ ଅତିକ୍ରମ କଲାଣି। ଏବେ ଏପ୍ରିଲ। ମେ’ରେ ସ୍ଥିତି କିଭଳି ରହିବ ଏହା ତାହାର ପ୍ରାକ୍ ଆଭାସ ଦେଲାଣି। ଯେଭଳି ଭାବେ ଉତ୍ତପ୍ତ ଲହରି ବହୁଛି, ତାହା ଜଳବାୟୁ ଗତିପଥର ସଙ୍କେତ ଦେଉଛି। ଏଲ୍ ନିନୋ ପ୍ରଭାବ ପଡ଼ୁଥିବାରୁ ଗରମ ବଢ଼ିଚାଲିଛି। ଫଳରେ ଏହା ମୌସୁମୀକୁ ପ୍ରଭାବିତ କରି କମ୍ ବୃଷ୍ଟିପାତ କରିବ ବୋଲି କୁହାଯାଉଛି। ଗରମ ବଢ଼ୁଥିବା ବେଳେ ଗୋଟେ କଥା ମନକୁ ଆସୁଛି। ସରକାରୀ ଭାବେ ବାରମ୍ବାର କୁହାଯାଉଛି ଯେ, ଓଡ଼ିଶା ସମେତ ଭାରତରେ ପ୍ରତିବର୍ଷ ଜଙ୍ଗଲ ଅଞ୍ଚଳ ବଢ଼ୁଛି। ଅର୍ଥାତ୍ ପରିବେଶ ଅଧିକ ସବୁଜମୟ ହେଉଛି। ଏପରିକି ବାଘ ସଂଖ୍ୟା ବଢ଼ୁଥିବା ନେଇ ରିପୋର୍ଟ ପ୍ରକାଶ କରାଯାଉଛି। ସମସ୍ତେ ଜାଣିଛନ୍ତି ପର୍ଯ୍ୟାପ୍ତ ଗଛଥିବା ଜଙ୍ଗଲ ଅଞ୍ଚଳ ପରିବେଶକୁ ଥଣ୍ଡା ରଖିଥାଏ। ଯଦି ଜଙ୍ଗଲ ଇଲାକା ସରକାରୀ ତଥ୍ୟ ଅନୁଯାୟୀ ବଢ଼ୁଥାଆନ୍ତା, ତାହା ହେଲେ ମଣିଷ ତତଲା କଡ଼େଇରେ ପଡ଼ୁ ନ ଥାଆନ୍ତା। ସରକାରୀ ତଥ୍ୟ ଯଦିବା ଠିକ୍ ହୋଇଥିବ, ତେବେ ଆକାଶିଆ ଭଳି ବିଦେଶୀ ଗଛ ବୃଦ୍ଧିକୁ ଦର୍ଶାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଉଥିବ। ପରିବେଶ ଓ ଭୂତଳ ଜଳ ବଢ଼ାଇବାରେ ଏଭଳି ଗଛଗୁଡ଼ିକର ନକାରାତ୍ମକ ପ୍ରଭାବ ପଡ଼ୁଛି। ଏହା ଜଣାଶୁଣା ଯେ ପାରମ୍ପରିକ ବଡ଼ ଗଛ ବ୍ୟତୀତ ନୂତନ ଧରଣର ସୌନ୍ଦର୍ଯ୍ୟବର୍ଦ୍ଧକ ଗଛବୃଚ୍ଛ ଜଳଧାରଣ କରିବାରେ ସକ୍ଷମ ହୋଇ ନ ଥାଆନ୍ତି। ତେଣୁ ଉପରେ ଗରମ ପବନ ବହିବା ଓ ଭୂଇଁ ଉତ୍ତପ୍ତ ରହିବା ତାପମାତ୍ରାକୁ ବଢ଼ାଇଚାଲିଛି।
ପୁଣି ଦୋହରାଯାଇପାରେ ଯେ, ଏଲ୍ ନିନୋ ପ୍ରଭାବ ପଡ଼ୁଥିବାରୁ ଗରମ ବଢ଼ିଚାଲିଛି। ଫଳରେ ଏହା ମୌସୁମୀକୁ ପ୍ରଭାବିତ କରି କମ୍ ବୃଷ୍ଟିପାତ କରିବ। ନିର୍ମାଣ ଓ ସେବା କ୍ଷେତ୍ର ଯେତେ ବିକଶିତ ହେଉଥିବା କୁହାଯାଉଥିଲେ ମଧ୍ୟ ଭାରତୀୟ ଅର୍ଥନୀତି କୃଷିପ୍ରଧାନ ରହିଛି। ଆଗକୁ କମ୍ ବର୍ଷା ହେଲେ ବା ବର୍ଷା ଆସିବାରେ ବିଳମ୍ବ ଦେଖାଦେଲେ ଧାନ ଓ ଆଖୁ ଭଳି ଜଳ ଉପରେ ବହୁଳ ଭାବେ ନିର୍ଭରଶୀଳ ଚାଷ ବ୍ୟାପକ ଭାବେ ପ୍ରଭାବିତ ହେବ। ଏମିତି ଦେଖିଲେ ପୂର୍ବାପେକ୍ଷା କମ୍ ବର୍ଷା ହେଉଥିବାରୁ ଗ୍ରୀଷ୍ମ ଋତୁ ପୂର୍ବରୁ ଜଳାଶୟ ଶୁଖିଯିବା ଦୃଶ୍ୟମାନ ହେଉଛି। ଭୂତଳଜଳ ଅତ୍ୟଧିକ ବ୍ୟବହାର ଯୋଗୁ ମାଟି ତଳେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ଗରମରୁ ରକ୍ଷା ପାଇବା ପାଇଁ ବିଦ୍ୟୁତଶକ୍ତିର ବ୍ୟାପକ ବ୍ୟବହାର କରାଯାଉଛି। ଏବେ ଭାରତ ସମେତ ସମଗ୍ର ପୃଥିବୀକୁ ଶକ୍ତିସଙ୍କଟ କାବୁ କରିଛି। ଓଡ଼ିଶା ସହିତ ଭାରତର ଅନେକ ପ୍ରାନ୍ତରେ ବିଦ୍ୟୁତ୍ ଗ୍ରୀଡ୍ ଉପରେ ଗ୍ରୀଷ୍ମ ବେଳେ ଯେଉଁ ଚାପ ପଡ଼ିଥାଏ, ତାହା ସମସ୍ତଙ୍କୁ ଜଣାପଡ଼ୁଛି। ଶକ୍ତି ଚାହିଦା ମେଣ୍ଟାଇବା ପାଇଁ ଜଳବିଦ୍ୟୁତ, ତାପଜ ବିଦ୍ୟୁତ ଭଳି ଉତ୍ସ ଅପେକ୍ଷା ସୌରଶକ୍ତି ପରିି ନବୀକରଣୀୟ ଉତ୍ସକୁ ଗୁରୁତ୍ୱ ଦେବା ଲାଗି ସରକାରୀ ସ୍ତରରେ ପ୍ରୋତ୍ସାହନ ଦିଆଯାଉଛି। କିନ୍ତୁ ଦେଖାଯାଉଛି ଯେ ସୌରଶକ୍ତି ଧାରଣ କରିବା ଲାଗି ଯେଉଁ ସୋଲାର ପ୍ୟାନେଲ ବ୍ୟବହାର କରାଯାଉଛି ତାହାର କାର୍ଯ୍ୟକ୍ଷମ ଅବଧି ୫ରୁ ୭ ବର୍ଷ ରହୁଛି। ଏଥିସହିତ ଏଥିରେ ବ୍ୟବହୃତ ବ୍ୟାଟେରି ଅକାମୀ ହେବା ପରେ ସେଗୁଡ଼ିକୁ ଜଙ୍ଗଲ ଭଳି ଅଞ୍ଚଳରେ ଫୋପାଡ଼ି ଦିଆଯାଉଛି। ବ୍ୟାଟେରିଗୁଡ଼ିକରେ ଆୟନ ଓ ଲିଥିୟମ ରହୁଥିବାରୁ ସେଗୁଡ଼ିକ ମଧ୍ୟ ପରିବେଶ ପ୍ରଦୂଷଣ କରି ବିପଦ ସୃଷ୍ଟି କରୁଛି। ତେଣୁ ଏହାର ନିରାକରଣ ଚିନ୍ତା କରାଯିବା ଦରକାର। ଏଥିସହିତ ଭାରତବର୍ଷ ବିଶେଷକରି ଓଡ଼ିଶାର ଅନେକ ଜଙ୍ଗଲ ବା ପୁରୁଣା ବନାଞ୍ଚଳ ଦେଖିଲେ ସହରର ଭଙ୍ଗା କୋଠାଘରୁ ବାହାରୁଥିବା କଂକ୍ରିଟ, ପ୍ଲାଷ୍ଟିକ୍ ଆବର୍ଜନା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ଏକ ଅଳିଆଗଦା ପାଲଟିଯାଇଛି। ବିଭିନ୍ନ ଜଙ୍ଗଲରେ ଲାଗୁଥିବା ନିଆଁ ପରିବେଶକୁ ମଧ୍ୟ ନଷ୍ଟ କରିବା ସହ ଉତ୍ତାପକୁ ବଢ଼ାଇ ଚାଲିଛି। ଜଙ୍ଗଲଧ୍ୱଂସ ସହ ନିଜ ଅଞ୍ଚଳରେ ପରିବେଶବିରୋଧୀ କାର୍ଯ୍ୟ ହେଉଥିଲେ ବି ସେ ଦିଗରେ ଜନଜାଗରଣ ହେଉନାହିଁ। ସ୍ଥାନୀୟ ବାସିନ୍ଦା ପ୍ରତିକ୍ରିୟାଶୀଳ ହେଉ ନ ଥିବାରୁ ପରିବେଶ ସୁରକ୍ଷିତ ରଖିବା ଲାଗି ଝୁଙ୍କ୍ ଆସୁନାହିଁ। ପରିବେଶ ବିରୋଧୀ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଇଁ ଦଣ୍ଡବିଧାନର ବ୍ୟବସ୍ଥା ଥିଲେ ମଧ୍ୟ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏ ଦିଗରେ ସୁଧାର ଆସିପାରୁ ନାହିଁ।
ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମ୍ କରିବା ଦିଗରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ସଚେତନ ହେବାକୁ ପଡ଼ିବ। ସେଥିପାଇଁ ଜଳବାୟୁ କାର୍ଯ୍ୟାନ୍ବୟନ ଯୋଜନାଠାରୁ ଆରମ୍ଭ କରି ବ୍ୟାପକ ଜନସଚେତନତା ଓ ଗୋଷ୍ଠୀସ୍ତରରେ ଏବେଠାରୁ ବିଧିବଦ୍ଧ ପଦକ୍ଷେପ ନେବାକୁ ପଡ଼ିବ। ଏଥିସହିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ସରକାରୀ କଳର ଶିଳ୍ପ ଉପରେ ଧ୍ୟାନ। ବୃହତ୍ ଶିଳ୍ପ ଦ୍ୱାରା ପରିବେଶ ପ୍ରତି ବିପଦ ସବୁଠାରୁ ମାରାତ୍ମକ। ଅର୍ଥ ଲୋଭ ଦେଖାଇ ଶିଳ୍ପର ପରିବେଶ ବିରୋଧୀ କାର୍ଯ୍ୟ ସବୁବେଳେ ଲାଗିରହିଛି। ସେଥିପାଇଁ ସାଧାରଣ ନାଗରିକର ସହଯୋଗ ସହିତ ଶିଳ୍ପାନୁଷ୍ଠାନଗୁଡ଼ିକର ମନମୁଖି କାର୍ଯ୍ୟକୁ ଦମନ କରାଯିବା ଅତ୍ୟନ୍ତ ଆବଶ୍ୟକ।
ଗରମ ମାସଗୁଡ଼ିକରେ ବୃଦ୍ଧି ପାଉଥିବା ଶକ୍ତି ଚାହିଦାକୁ ମେଣ୍ଟାଇବା ପାଇଁ ସରକାର ବିଭିନ୍ନ ଗବେଷଣା ସଂସ୍ଥା ସହ ମିଶି ବିକଳ୍ପ ଶକ୍ତି ଉତ୍ସ ବାହାର କରିବା ଦରକାର ହେଲାଣି। ବିଶ୍ୱତାପନର ଧାରା ପ୍ରତିବର୍ଷ ଯେଭଳି ବଢ଼ିଚାଲିଛି ତାହାକୁ ସମ୍ପୂର୍ଣ୍ଣ ରୋକାଯାଇ ନ ପାରିଲେ ମଧ୍ୟ ତାହାର ତୀବ୍ରତାକୁ ହ୍ରାସ କରିବା ସକାଶେ ସରକାର, ଶିଳ୍ପ, ଗୋଷ୍ଠୀ ଓ ବ୍ୟକ୍ତିବିଶେଷଙ୍କୁ ଜାଗତିଆର ହେବାକୁ ପଡ଼ିବ। ପ୍ରାଣୀଜଗତ ତିଷ୍ଠି ରହିବା ଲାଗି ଅଭିନବ ଚିନ୍ତନ ଓ ସକାରାତ୍ମକ କାର୍ଯ୍ୟାନ୍ବୟନ ଆବଶ୍ୟକ। ଅସତ୍ୟ ତଥ୍ୟ ଦେଖାଇ ସାଧାରଣ ଲୋକକୁ ଭୁଲେଇ ଦିଆଯାଇପାରେ, କିନ୍ତୁ ପରିିବେଶ ଓ ପ୍ରକୃତିକୁ ନୁହଁ।