ଝିଅର ଆତ୍ମହତ୍ୟା ପଛରେ ହଷ୍ଟେଲ ପରିଚାଳିକାଙ୍କ ସମ୍ପୃକ୍ତି: ପରିବାର ଲୋକେ

ସୁନ୍ଦରଗଡ଼,୧୨ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ପଟୁଆଡ଼ିହି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକଙ୍କ ଶାରୀରିକ ଓ ମାନସିକ ଚାପ ସହି ନ ପାରି ଦଶମ ଶ୍ରେଣୀ ଛାତ୍ରୀ ଅପର୍ଣ୍ଣା ପାଣ୍ଡେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ କରି ଲେଫ୍ରିପଡ଼ା ପୋଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପଟେଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଏହି ଘଟଣାର ତଦନ୍ତ ତ୍ୱରାନ୍ବିତ କରିବା ସହ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାରବର୍ଗ ଅଭିଯୋଗ କରିଛନ୍ତି। ଏନେଇ ପରିବାରବର୍ଗ ଜିଲାପାଳ ନିଖିଲ ପବନ କଲ୍ୟାଣଙ୍କୁ ଭେଟି ଜଣାଇବା ସହ ଏହି ଘଟଣାରେ ହଷ୍ଟେଲ ପରିଚାଳିକା ସନ୍ଦେହ ଘେରକୁ ଆସୁଥିବା ନେଇ ଲିଖିତ ଦେଇଛନ୍ତି। ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ପରେ ସୁନ୍ଦରଗଡ଼ ଏସ୍‌ପିଙ୍କ ଅନୁପସ୍ଥିତିରେ ମୃତା ଅପର୍ଣ୍ଣା ପରିବାର ବର୍ଗ ଅତିରିକ୍ତ ଏସ୍‌ପି ଉଗ୍ରସେନ ପ୍ରଧାନଙ୍କୁ ଭେଟିଥିଲେ। ପ୍ରଧାନ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ, ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜଣେ ଡିଏସ୍‌ପି ଏହି ଘଟଣାର ତଦନ୍ତ କରୁଛନ୍ତି। ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ସେ କହିଥିଲେ।