
କଟକ ଅଫିସ,୪ା୨: କଟକ ମହାନଗର ନିଗମ(ସିଏମ୍ସି) ଅଧୀନ କେଶରପୁର ଓ ବେପାରୀ ସାହି ମଧ୍ୟବର୍ତ୍ତୀ ସ୍ଥାନରେ ଥିବା ଗଣେଶ ପ୍ରସାଦ ଭଗତ ଛାତ୍ରାବାସ ପରିତ୍ୟକ୍ତ ହୋଇପଡିଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଛାତରୁ ପାଣି ଗଳିବା ସହ କାଠରେ ଉଇ ଲାଗି ନଷ୍ଟ ହୋଇଗଲାଣି। କାନ୍ଥରେ ଗଛଲତା ମାଡି ଯାଇଥିବାବେଳେ ଅପରିଷ୍କାର ପାଣି ଜମି ରହିଛି। ଦୀର୍ଘଦିନ ଧରି ଅବ୍ୟବହୃତ ଅବସ୍ଥା ପଡିରହିବାରୁ ସରୀସୃପ ରହୁଛନ୍ତି। ଏପରି କି ଏହା ନିଶାସକ୍ତଙ୍କ ଆଡ୍ଡାସ୍ଥଳି ପାଲଟିଛି। ତୁରନ୍ତ ଏହାର ପୁନରୁଦ୍ଧାର ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
୧୯୬୨ ମସିହାରେ କେଶରପୁର ଅଞ୍ଚଳର ବଦାନ୍ୟ ବ୍ୟକ୍ତି ଗଣେଶ ପ୍ରସାଦ ଭଗତ ୬ ଗୁଣ୍ଠ ସ୍ଥାନରେ ଥିବା ଏକ ବିଲ୍ଡିଂକୁ ସିଏମ୍ସି(ସେତେବେଳର ପୌରପାଳିକା)କୁ ଏକ ଚୁକ୍ତି ମାଧ୍ୟମରେ ଦାନ କରିଥିଲେ। ସର୍ତ୍ତ ରହିଥିଲା ଏହି ବିଲ୍ଡିଂକୁ ପୌରପାଳିକା ଛାତ୍ରାବାସ ଭାବେ ବ୍ୟବହାର କରିବ। ୨ ମହଲା ବିଶିଷ୍ଟ ଉକ୍ତ ବିଲ୍ଡିଂରେ ୧୬ଟି କୋଠରି, ୬ଟି ଶୌଚାଳୟ ଓ ୨ଟି ରୋଷେଇ ଘର ରହିଛି। ଉକ୍ତ ବିଲ୍ଡିଂକୁ ଛାତ୍ରାବାସ କରାଯିବା ପରେ ସହରର ବିଭିନ୍ନ କଲେଜରେ ପଢୁଥିବା ବାହାର ଅଞ୍ଚଳର ଛାତ୍ରମାନେ ସ୍ବଳ୍ପ ଭଡ଼ାରେ ଏଠାରେ ରହୁଥିଲେ। ପରବର୍ତ୍ତୀ ସମୟରେ ଏହାର ରକ୍ଷଣାବେକ୍ଷଣ ଅଭାବରୁ ବାସ ଅନୁପଯୋଗୀ ହୋଇପଡିଲା। ୧୯୯୯ ମହାବାତ୍ୟାରେ ଛାତ୍ରାବାସଟି ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇପଡିଲା। ତେବେ ସିଏମ୍ସି ପକ୍ଷରୁ ଏହି ଛାତ୍ରାବାସକୁ ପୁନରୁଦ୍ଧାର କରାଯାଇ ୪ ମାସ ମଧ୍ୟରେ ୨ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ମହିଳା ନିବାସ ନିର୍ମାଣ ପାଇଁ ୨୦୧୫ରେ ଯୋଜନା ହୋଇଥିଲା। ତତ୍କାଳୀନ ସିଏମ୍ସି କମିଶନର ଓ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷମାନେ ଏହି ସ୍ଥାନ ପରିଦର୍ଶନ କରିବା ପରେ ଡିଟେଲ୍ସ ପ୍ରୋଜେକ୍ଟ ରିପୋର୍ଟ(ଡିପିଆର୍) ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏପର୍ଯ୍ୟନ୍ତ ଏ ଦିଗରେ ପଦକ୍ଷେପ ନିଆଯାଇନାହିଁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏହାର ନିର୍ମାଣ କାର୍ଯ୍ୟ ଆଗେଇ ପାରୁନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଅପରପକ୍ଷେ ଛାତ୍ରାବାସର ଗୋଟିଏ ପ୍ରବେଶ ଦ୍ୱାରକୁ ବନ୍ଦ କରି ସେଠାରେ ଥିବା ବୈଠକଖାନାକୁ ଜବରଦଖଲ କରାଯାଇଛି। ଛାତ୍ରାବାସର ଅନ୍ୟ ଏକ ପ୍ରବେଶ ଦ୍ୱାର ସମ୍ମୁଖ ଜାଗାକୁ ଜବରଦଖଲ କରି ୪ଟି କୋଠରି ନିର୍ମାଣ କରାଯାଇଛି। ଏହି କୋଠରିକୁ ମାସିକ ୧୦,୦୦୦ ଟଙ୍କାରେ ଭଡା ଦିଆଯାଇଛି। ଅପରପକ୍ଷେ ଛାତ୍ରାବାସକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ କମ୍ପାଉଣ୍ଡ ଓ୍ବାଲ ନିର୍ମାଣ ପାଇଁ ସିଏମ୍ସି ପକ୍ଷରୁ ଟେଣ୍ଡର ସରିଛି। ହେଲେ କଣ୍ଟ୍ରାକ୍ଟରଙ୍କୁ ୱାର୍କ ଅର୍ଡର ଦିଆଯାଇ ନଥିବାରୁ କାମ ଆରମ୍ଭ ହୋଇପାରୁନାହିଁ ା












