Categories: ଖେଳ

‘ଆଶା କରୁଛି, ଚେନ୍ନାଇରେ ଅନ୍ତିମ ଟି୨୦ ଖେଳିବି’

ଚେନ୍ନାଇ,୨୦।୧୧: ଚେନ୍ନାଇରେ ଅନ୍ତିମ ଟି୨୦ ଖେଳିବାକୁ ଚାହେଁ। କିନ୍ତୁ ଏଥିଲାଗି ବର୍ଷେ ଲାଗିବ କି ୫ ବର୍ଷ ସମୟ ଲାଗିବ କହିହେବ ନାହିଁ। ଆଇପିଏଲ ଭବିଷ୍ୟତ ଉପରେ ଏଭଳି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଗତ ମାସରେ ୟୁଏଇରେ ଧୋନୀଙ୍କ ନେତୃତ୍ୱରେ ସିଏସ୍‌କେ ତା’ର ଚତୁର୍ଥ ଆଇପିଏଲ ଟ୍ରଫି ହାତେଇଥିଲା।

“ମୁଁ ସର୍ବଦା ଯୋଜନା କରି କ୍ରିକେଟ ଖେଳିଛି। ଅନ୍ତିମ ଥର ମୁଁ ରାଞ୍ଚିରେ ଯେଉଁ ମ୍ୟାଚ୍‌ ଖେଳିଥିଲି, ତାହା ଥିଲା ଘରୋଇ ଗ୍ରାଉଣ୍ଡରେ ମୋର ଶେଷ ଦିନିକିଆ। ଏଣୁ ଆଶା କରୁଛି, ମୋ ଅନ୍ତିମ ଟି୨୦ ମ୍ୟାଚ୍‌ ଚେନ୍ନାଇ ଖେଳିବି। ହୁଏ ତ ଏହା ୨୦୨୨ରେ ଘଟିପାରେ କିମ୍ବା ୫ ବର୍ଷ ଲାଗିପାରେ। ଆମେ ସତରେ ଜାଣିନାହୁଁ” ବୋଲି ଚେପକରେ ଆୟୋଜିତ ଆଇପିଏଲ ବିଜୟୀ ଉତ୍ସବ ବେଳେ ଧୋନୀ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଧୋନୀଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ, ଇଣ୍ଡିଆ ସିମେଣ୍ଟ ଉପାଧ୍ୟକ୍ଷ ଓ ମ୍ୟାନେଜିଂ ଡିରେକ୍ଟର ଏନ୍‌ ଶ୍ରୀନିବାସନ, କିମ୍ବଦନ୍ତୀ ଅଲରାଉଣ୍ଡର କପିଳ ଦେବ, ବିସିସିଆଇ ସମ୍ପାଦକ ଜୟ ଶାହା, ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲଙ୍କ ସହ ହଜାର ହଜାର ସଂଖ୍ୟାରେ ସିଏସ୍‌କେ ପ୍ରାଶଂସକ ଉପସ୍ଥିତ ଥିଲେ।

Share