ମହୁରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ବିଶେଷଭାବରେ ଥଣ୍ଡା ସମସ୍ୟାରୁ ଉପଚାର ପାଇଁ ଏହା ବେଶ୍ ସହାୟକ ହୋଇଥାଏ। ତେବେ ଏଥିରେ ଏଭଳି ତତ୍ତ୍ୱ ରହିଛି ଯାହା ରକ୍ତ ସଞ୍ଚାଳନକୁ ମଧ୍ୟ ସକ୍ରିୟ ରଖିଥାଏ ବୋଲି ଲଣ୍ଡନ ବିଶ୍ୱବିଦ୍ୟାଳୟର ପୁଷ୍ଟିବିଜ୍ଞାନୀମାନେ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ଓଜନକୁ ସନ୍ତୁଳିତ ରଖିବାରେ ମହୁ ମଧ୍ୟ ସାହାଯ୍ୟ କରିଥାଏ। ସକାଳୁ ଖାଲି ପେଟରେ ଗ୍ଲାସେ ଉଷୁମ ପାଣି ସହ ଲେମ୍ବୁ ରସ ଏବଂ ମହୁ ମିଶାଇ ପିଇଲେ ତାହା ଶରୀର ପାଇଁ ବେଶ୍ ଲାଭପ୍ରଦ ସାବ୍ୟସ୍ତ ହୋଇଥାଏ। ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରି ରହିଛି। ଡାଇବେଟିସ୍ ସମସ୍ୟା ଥିବା ବ୍ୟକ୍ତି ଏହାକୁ ନିଜର ଖାଦ୍ୟ ତାଲିକାରେ ସାମିଲ କରିପାରିବେ। ଏଥିରେ ଏଭଳି ଗୁଣ ରହିଛି ଯାହା ହାର୍ଟ ଆଟାକ ଆଶଙ୍କାକୁ କେତେକାଂଶରେ ଦୂରେଇ ଦେଇଥାଏ ବୋଲି ଉକ୍ତ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ରିପୋର୍ଟରେ ପ୍ରକାଶ କରିଛନ୍ତି। ଶରୀରରେ ରକ୍ତଚାପକୁ ଏହା କେତେକାଂଶରେ ନିୟନ୍ତ୍ରଣରେ ରଖିଥାଏ। ଏହାବ୍ୟତୀତ କୋଲେଷ୍ଟରଲ ସମସ୍ୟାକୁ ସମାଧାନ କରିବାରେ ମଧ୍ୟ ସାହାଯ୍ୟ କରେ। ବିଶେଷଭାବରେ ଛୋଟ ପିଲାଙ୍କୁ ଥଣ୍ଡାକାଶ ହୋଇଥିଲେ ସେମାନେ ଏହାକୁ ଖାଇଲେ ସେଥିରୁ କେତେକାଂଶରେ ଉପଶମ ଲାଭ କରିଥାଆନ୍ତି।