ଘରୋଇ ଫେସ୍‌ପ୍ୟାକ୍‌

ଖରାଦିନେ
ପ୍ରଖର ସୂର୍ଯ୍ୟକିରଣ ପ୍ରଭାବରେ ସନ୍‌ଟ୍ୟାନ୍‌ଠାରୁ
ଆରମ୍ଭ କରି ତ୍ୱଚା ସମ୍ବନ୍ଧିତ ଅନ୍ୟାନ୍ୟ ସମସ୍ୟା ବି ଦେଖାଦେଇଥାଏ। ଯାହାକୁ ଦୂର କରିବାକୁ ଅନେକେ ବିଭିନ୍ନ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର କରୁଥିବା ଦେଖିବାକୁ ମିଳିଥାଏ, ଯାହାକି ବ୍ୟୟ ବହୁଳ ମଧ୍ୟ। ହେଲେ ଆପଣ ଚାହିଁଲେ ଘରେ
ଉପଲବ୍ଧ ଥିବା
କେତେକ ସାମଗ୍ରୀକୁ
ଫେସ୍‌ ପ୍ୟାକ୍‌
ଭାବେ ବ୍ୟବହାର
କରି ବେଦାଗ, ଆକର୍ଷଣୀୟ ତ୍ୱଚା ପାଇପାରିବେ…

ରୋଜ୍‌ ଫେସ୍‌ପ୍ୟାକ୍‌: ୨-୩ଟି ଗୋଲାପ ଫୁଲର ପାଖୁଡାକୁ ପେଷ୍ଟ କରି ଦିଅନ୍ତୁ। ଏକ ପାତ୍ରରେ ଏକ ଚାମଚ ଏହି ପେଷ୍ଟ, ୨-୩ ଚାମଚ କଞ୍ଚା କ୍ଷୀର, ୪-୫ ବୁନ୍ଦା ମହୁ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫-୨୦ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହା ତ୍ୱଚାକୁ ଉଜ୍ଜ୍ୱଳ କରିବା ସହ ବ୍ରଣ ଦାଗ ଆଦି ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ।
ଅମୃତଭଣ୍ଡା- କଦଳୀ ଫେସ୍‌ପ୍ୟାକ୍‌: ଏକ ୨ ବଡ ଚାମଚ ପାଚିଲା ଅମୃତ ଭଣ୍ଡା ପେଷ୍ଟ, ୧ ଚାମଚ ପାଚିଲା କଦଳୀ ପେଷ୍ଟ, ୫-୭ଟି ବାଦାମର ପେଷ୍ଟ, ଅଧା ଚାମଚ ଆଲୋଭେରା ଜେଲ୍‌, ଅଳ୍ପ ମହୁକୁ ଭଲ ଭାବେ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୨୦-୨୫ ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ। ଏହି ପ୍ୟାକ୍‌କୁ ସପ୍ତାହରେ ଥରେ କିମ୍ବା ଦୁଇଥର ଲଗାନ୍ତୁ ଦେଖିବେ ରିଙ୍କିଲ୍‌ ମାର୍କ, କଳାଦାଗ, ଛାଇ ପଡିବା ଭଳି ଦାଗ ଆଦି ଦୂର ହୋଇଯିବ।
କମଳା ଚୋପା ପାଉଡର ଓ ଆଲୋଭେରା ଜେଲ୍‌ ପ୍ୟାକ୍‌: ଏକ ପାତ୍ରରେ ଏକ ଚାମଚ କମଳା ଚୋପା ପାଉଡର, ଅଧା ଚାମଚ ଆଲୋଭେରା ଜେଲ ଏବଂ ଅଳ୍ପ ମୁଲତାନୀ ମାଟି ନେଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୦-୧୫ ମିନିଟ୍‌ ରଖିବା ପରେ ପାଣିରେ ଧୋଇ ଦିଅନ୍ତୁ।