Categories: ବାଣିଜ୍ୟ

ବିଓଏମ୍‌ର ସୁଧ ହାର ହ୍ରାସ

ନୂଆଦିଲ୍ଲୀ,୧୯ା୧୦: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର(ବିଓଏମ୍‌) ଗୃହଋଣ ସୁଧ ହାରରେ ୩୦ରୁ ୭୦ ବିପିଏସ୍‌ ହ୍ରାସ କରିଛି। ସେହିପରି ବ୍ୟାଙ୍କର ବ୍ୟକ୍ତିଗତ ଋଣ ହାରରେ ମଧ୍ୟ ୨୪୫ ବିପିଏସ୍‌ ହ୍ରାସ ହୋଇଥିବା ଜଣାପଡ଼ିଛି। ଏହି ପାର୍ବଣରେ ଖୁଚୁରା ଋଣର ସୁଧ ହାରକୁ ହ୍ରାସ କରି ଗ୍ରାହକମାନଙ୍କୁ ଖୁସି ଦେବା ପାଇଁ ସୁଧ ହାର ହ୍ରାସ କରିଥିବା କଥା ବ୍ୟାଙ୍କ ପକ୍ଷରୁ ଦର୍ଶାଯାଇଛି। ବିଶେଷକରି ବର୍ତ୍ତମାନ ଗୃହଋଣ ସର୍ବନିମ୍ନ ଶତକଡ଼ା ୮ % ସୁଧହାର ଥିବା ବେଳେ ବ୍ୟକ୍ତିଗତ ଋଣ ୮.୯% ସୁଧ ହାରରେ ଉପଲବ୍ଧ। ପୂର୍ବରୁ ଗୃହଋଣ ପାଇଁ ୮୦୦ରୁ ଅଧିକ କ୍ରେଡିଟ୍‌ ସ୍କୋର୍‌ ଥିବା ଋଣଗ୍ରହୀତାମାନଙ୍କୁ ସର୍ବନିମ୍ନ ୮.୩୦ % ହାରରେ ଏବଂ ୭୦୦ରୁ ତଦୂର୍ଦ୍ଧ୍ୱ କ୍ରେଡିଟ୍‌ ସ୍କୋର୍‌ ଥିବା ଋଣଗ୍ରହୀତାମାନଙ୍କୁ ୮.୭% ହାରରେ ସୁଧ ଦେବାକୁ ପଡ଼ୁଥିଲା। କିନ୍ତୁ ବର୍ତ୍ତମାନ ସର୍ବନିମ୍ନ ୭୦୦ କ୍ରେଡିଟ୍‌ ସ୍କୋର ଥିବା ଋଣଗ୍ରହୀତାମାନଙ୍କୁ ୮% ସୁଧ ହାରରେ ଗୃହଋଣ ଉପଲବ୍ଧ ହେବା କଥା ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ବ୍ୟାଙ୍କ ମଧ୍ୟ ‘ଦିୱାଲି ଧମାକା’ ଅଫର ଅନ୍ତର୍ଗତ ସୁନା, ଗୃହ ଏବଂ କାର୍‌ ଋଣର ପ୍ରୋସେସିଂ ଫି କୁ ଛାଡ଼ କରିଛି। ବିଓଏମ୍‌ର ନେଟ୍‌ ଇଣ୍ଟରେଷ୍ଟ ମାର୍ଜିନ୍‌ (ଏନ୍‌ଆଇଏମ୍‌) ଚଳିତ ଆର୍ଥିକ ବର୍ଷ ଜୁନ୍‌ ତ୍ରୈମାସ ଶେଷ ସୁଦ୍ଧା ୩.୨୮% ସୁଧହାର ଥିଲା। ଏହା ବ୍ୟାଙ୍କିଙ୍ଗ୍‌ ଶିଳ୍ପରେ ଅନେକ ବ୍ୟାଙ୍କଠାରୁ ଆଗୁଆ ଥିଲା। ଫଳରେ ଋଣଦାତାଙ୍କୁ ଋଣ ଉପରେ ସୁଧ ହାରରେ କୋହଳ ପାଇଁ ଅନୁମତି ମିଳିଛି।

Share