ପାଇପ୍‌ ଲାଇନ୍‌ ବିଛାଯିବାକୁ ଖୋଳାଯାଇଥିଲା ଗାତ: ବାଇକ୍‌ ସହ ପଡ଼ି ଆଖି ବୁଜିଲେ ବ୍ୟକ୍ତି

ଖମାର,୨୨।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଗହମଠାରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏକ ଠିକା ସଂସ୍ଥା ଦ୍ୱାରା ରାସ୍ତା କଡରେ ଖୋଳାଯାଇଥିବା ଗାତରେ ପଡି ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପରାବିଲ ଗ୍ରାମର ଦୁଷ୍ମନ୍ତ କୁମାର ବେହେରା (୪୧)। କ୍ଷତି ପୁରାଣ ଦାବିରେ ସ୍ଥାନୀୟ ଲୋକେ ଓ ମୃତକଙ୍କ ପରିବାର ତାଳଚେର – ପାଲଲହଡ଼ା ରାସ୍ତା ଅବରୋଧ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଭୋର ସମୟରେ ଦୁଷ୍ମନ୍ତ ବାଇକ୍‌ରେ ଯାଉଥିବା ବେଳେ ରାସ୍ତା କଡରେ ଥିବା ଗାତରେ ଖସି ପଡ଼ିଥିଲେ । ଘଟଣାସ୍ଥଳରୁ ତାଙ୍କୁ ତାଳଚେର ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଜିଲାର ଏକ ଠିକା ସଂସ୍ଥା ଖମାର, କଣିହାଁ ଅଞ୍ଚଳରେ ନିୟମିତ ଭାବେ କାମକରି ପାଇପ ଲାଇନ ବିଚାଉଛି। ଏ ନେଇ ପାଲଲହଡା, ଖମାର, କଣିହାଁ, ସମଲ, ପବିତ୍ର ନଗର ଆଦି ଅଞ୍ଚଳରେ ୩-୪ ମିଟରର ଗାତ ଖୋଳାଯାଉଛି। ପୁର୍ତ୍ତ ବିଭାଗର କହିବା ଅନୁଯାୟୀ ରାସ୍ତାରୁ ୩ ମିଟର ଛାଡି ପାଇପ ବିଛାଇବା ପାଇଁ ଉକ୍ତ ଠିକା ସଂସ୍ଥାକୁ ଅନୁମତି ମିଳିଛି। ମାତ୍ର ରାସ୍ତାକୁ ଲାଗି ଗାତ ଖୋଲିବା ଓ ରାସ୍ତା ଉପରେ ମେଶିନ ଲଗାଇ କାମ କରିବାରୁ ଯାତାୟାତରେ ଅସୁବିଧା ସହ ଦୁର୍ଘଟଣା ଘଟୁଛି।