ବାନ୍ଧବୀଙ୍କୁ ବିବାହ କରିବେ ବିଧାୟକ ବିଜୟଶଙ୍କର

ଜଗତ୍‌ସିଂହପୁର ଅଫିସ, ୧୮।୫: ତିର୍ତ୍ତୋଲ ବିଧାୟକ ତଥା ସ୍ଥାନୀୟ ମକୁନ୍ଦପୁର ବିଜୟଶଙ୍କର ଦାସ (୩୦) ଖୁବ୍‌ଶୀଘ୍ର ତାଙ୍କ ବାନ୍ଧବୀ ତଥା ସ୍ଥାନୀୟ ଦେଉଳୀଗ୍ରାମେଶ୍ୱର ଗ୍ରାମର ସଂଗ୍ରାମ କିଶୋର ଦାଶଙ୍କ ଝିଅ ସୁମାଲିକା ଦାଶ (୨୯)ଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏନେଇ ଉଭୟେ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ସବ୍‌ରେଜିଷ୍ଟ୍ରାର (ଡିଏସ୍‌ଆର୍‌)ଙ୍କ କମାର୍ଯ୍ୟାଳୟରେ ପହଞ୍ଚତ୍ ବିବାହ ପଞ୍ଜୀକରଣ ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ସହ ଉଭୟଙ୍କ ପରିବାର ଲୋକେ, ଓକିଲ, ଜିଲା ପରିଷଦ ସଭାପତି ମନୋଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ସ୍ବତନ୍ତ୍ର ବିବାହ ଆଇନର ଦଫା ୫ରେ ଡିଏସ୍‌ଆର୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଉଭୟଙ୍କୁ ନୋଟିସ ଜାରି କରାଯାଇଛି। ଏକ ମାସରୁ ୩ ମାସ ମଧ୍ୟରେ ସେମାନେ ଆଇନ ଅନୁଯାୟୀ ବିବାହ ପଞ୍ଜୀକରଣ ସାର୍ଟିଫିକେଟ୍‌ ଗ୍ରହଣ କରିପାରିବେ ବୋଲି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ। ଏହାପରେ ସାମାଜିକ ରୀତିନୀତି ଅନୁଯାୟୀ ବିବାହ ଯୋଜନା ଥିବା କୁହାଯାଇଛି।
୍ଯ ବିଜୟଶଙ୍କର ହେଉଛନ୍ତି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁଚରଣ ଦାସଙ୍କ ଏକମାତ୍ର ପୁଅ। ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଜୟଶଙ୍କରଙ୍କ ସହ ସୁମାଲିକାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୁମାଲିକା ଏହାକୁ ଭାଇରାଲ କଲାପରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ସାରା ଜିଲାରେ ଚର୍ଚ୍ଚା ହୋଇଥିଲା। ଏ ସମ୍ପର୍କରେ ବିଜୟଶଙ୍କରଙ୍କୁ ପଚାରିବାରୁ, ମା’ଙ୍କ ଦେହ ଖରାପ ଥିବାରୁ ସେ ଡାକ୍ତରଖାନା ଯିବା ପାଇଁ ବ୍ୟସ୍ତ ଥିବା କହି କୌଣସି ପ୍ରତିକ୍ରିୟା ଦେବାକୁ ରାଜି ହୋଇ ନ ଥିବାବେଳେ ସୁମାଲିକା ଖୁସି ଅନୁଭବ କରୁଥିବା କହିବା ସହ ସମସ୍ତଙ୍କ ଆଶୀର୍ବାଦ ଲୋଡ଼ିଥିଲେ।