ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀ ଗଣ୍ଡରୁ ଜଣେ ଯୁବକଙ୍କ ମୃତଦେହକୁ ଅଗ୍ନିଶମବାହିନୀ ବୁଧବାର ଉଦ୍ଧାର କରିଛି। ମୃତକ ଜଣଙ୍କ ହେଲେ ପାଟପୁର ବସଷ୍ଟାଣ୍ଡ ନିକଟ ଗଣେଷ ନଗରର ନାରାୟଣ ସିଙ୍ଗ (୩୫)।ନାରାୟଣ ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ନଦୀ ଗଣ୍ଡକୁ ଗାଧୋଇବାକୁ ଯାଇଥିଲେ। ବିଳମ୍ବିତ ରାତି ଯାଏ ସେ ଘରକୁ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବାପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ନଦୀରେ ନିର୍ମାଣାଧୀନ ବ୍ରିଜର ପିଲର ପାଇଁ ଖୋଳା ଯାଇଥିବା ଖାତ (ଗଣ୍ଡ)ରେ ଗାଧୋଇବା ବେଳେ ଅସାବଧାନତା କାରଣରୁ ସେ ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରାଯାଉଛି। ବୁଧବାର ଭୋର୍ରେ ଗ୍ରାମର କିଛି ବ୍ୟକ୍ତି ନଦୀକୁ ଶୌଚ ପାଇଁ ଯାଇଥିବାବେଳେ ପାଣିରେ ମୃତଦେହ ଭାସୁଥିବା ଦେଖିଥିଲେ। ଖବରପାଇ ଅଗ୍ନିଶମବାହିନୀ ତାଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପାଟପୁର ପୋଲିସ ଟିମ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ୬/୨୬ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଛନ୍ତି। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

