ଆମଷ୍ଟେଲଭିନ୍,୨୧ା: ଚଳିତ ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି ମ୍ୟାଚ୍ ଭାରତ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି। ଭାରତ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଲା ମ୍ୟାଚ୍ରେ ଉତ୍ସାହଜନକ ଆରମ୍ଭ ସତ୍ତ୍ୱେ ପରବର୍ତ୍ତୀ ପର୍ଯ୍ୟାୟରେ ଭଲ ପ୍ରଦର୍ଶନ ଜାରି ରଖିବାରେ ବିଫଳ।
ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଏକଦା ୩-୦ରେ ଅଗ୍ରଣୀ ଲାଭ କରି ଦୃଢ଼ସ୍ଥିତିରେ ରହିଥିଲେ ହେଁ ରକ୍ଷଣଭାଗରେ ତ୍ରୁଟିପୂର୍ଣ୍ଣ ଖେଳ ଯୋଗୁ ପରବର୍ତ୍ତୀ କାଳରେ ପାକିସ୍ତାନକୁ ପ୍ରତ୍ୟାବର୍ତ୍ତନ ପାଇଁ ସୁଯୋଗ ଦେଇଥିଲା। ଶେଷରେ ଏହି ମ୍ୟାଚ୍ରେ ଦଳ ୫-୪ ଗୋଲ୍ରେ କଷ୍ଟସାଧ୍ୟ ବିଜୟ ହାସଲ କରିଥିଲା। ସେହିପରି ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଦଳ ପ୍ରଥମାର୍ଦ୍ଧ ଖେଳ ସୁଦ୍ଧା ୨-୧ରେ ଅଗ୍ରଣୀ ଥିଲା ା ତୃତୀୟ କ୍ୱାର୍ଟରରେ ଇଂଲଣ୍ଡ ଦୁଇଟି ଗୋଲ ଦେଇ ମ୍ୟାଚ୍କୁ ନିଜ ସପକ୍ଷକୁ ନେଇଆସିଥିଲା। ଶେଷରେ ଦଳ ୨-୪ ଗୋଲରେ ପରାଜିତ ହୋଇଥିଲା।
ନେଦରଲାଣ୍ଡକୁ ବିଶ୍ୱ ହକିର ସବୁଠାରୁ ଘାତକ ଓ ଆକ୍ରମଣାତ୍ମକ ଦଳ ଭାବେ ବିବେଚନା କରାଯାଇଥାଏ। ଶନିବାର ଏହି ଦଳ ବିପକ୍ଷରେ ଭାରତକୁ ସତର୍କତାର ସହ ଖେଳିବାକୁ ପଡ଼ିବ। ସାମାନ୍ୟ ତ୍ରୁଟିକଲେ କ୍ଷତି ସହିବାକୁ ପଡ଼ିବ।