ଅମରପାଲି, ୧୩/୯ (ପୀତାମ୍ବର ସାହୁ): ନୂଆଁଖାଇ ପର୍ବକୁ ଆଉ କିଛି ଦିନ ବାକି ଥିବାବେଳେ ପଶ୍ଚିମ ଓଡ଼ିଶାର ବଜାରରେ ଦେଖାଦେଇଛି ଉତ୍ସବର ରଙ୍ଗ। ନୂଆଁଖାଇରେ ନୂଆ ପୋଷାକ ପିନ୍ଧିବାର ପରମ୍ପରା ଥିବାରୁ ଲୋକଙ୍କ ମଧ୍ୟରେ କିଣାକିଣି ନେଇ ଆଗ୍ରହ ବଢ଼ିଛି। ବିଶେଷକରି ସମ୍ବଲପୁରୀ ଲୁଗା ଓ ଡ୍ରେସ୍ ପ୍ରତି ଚାହିଦା ବଢ଼ିବାରୁ ସ୍ଥାନୀୟ ବଜାର ଚଳଚଞ୍ଚଳ ହୋଇପଡ଼ିଛି। ଏହି କ୍ରମରେ ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଅଞ୍ଚଳରେ ମଧ୍ୟ ସମ୍ବଲପୁରୀ ବସ୍ତ୍ର ବଜାର ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି।
ବୀରମହାରାଜପୁର ସମେତ ସୁବଳୟା, ଉଲୁଣ୍ଡା, ଖଣ୍ଡହତା, ଯାଲୋଏ, କଳାପଥର, ଅମରପାଲି, ମହଦା, ବଡ଼ଖମାର ଆଦି ବଜାରରେ ଏବେ ସମ୍ବଲପୁରୀ ବସ୍ତ୍ରର କିଣାବିକା ବେଶ୍ ଜମୁଛି।
ନୂଆଁଖାଇ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ। ଏହି ଦିନ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ମା’ ସମଲେଶ୍ୱରୀ ଓ ନିଜ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ କରିବା ପରେ ପରିବାରର ସମସ୍ତେ ଏକାଠି ହୋଇ ନୂଆ ପୋଷାକ ପିନ୍ଧି ପର୍ବ ପାଳନ କରିଥାନ୍ତି। ଏହି ପାରମ୍ପରିକ ପର୍ବରେ ସମ୍ବଲପୁରୀ ବସ୍ତ୍ରର ସ୍ୱତନ୍ତ୍ର ସ୍ଥାନ ରହିଛି।
ବର୍ତ୍ତମାନ ସ୍ଥାନୀୟ ବଜାରରେ ବିଭିନ୍ନ ରଙ୍ଗ, ଡିଜାଇନ୍ ଓ ନକ୍ସାର ସମ୍ବଲପୁରୀ ବସ୍ତ୍ର ଉପଲବ୍ଧ ହେଉଛି। ମହିଳାଙ୍କ ପାଇଁ ସମ୍ବଲପୁରୀ ଶାଢ଼ି, ଡ୍ରେସ୍ ମ୍ୟାଟେରିଆଲ, କୁର୍ତ୍ତି ଆଦି ରହିଥିବାବେଳେ ପୁରୁଷଙ୍କ ପାଇଁ ସମ୍ବଲପୁରୀ ଡିଜାଇନ୍ର ସାର୍ଟ, କୁର୍ତ୍ତା ଓ ବିଭିନ୍ନ ପୋଷାକ ବିକ୍ରି ହେଉଛି। ଯୁବପିଢ଼ିଙ୍କୁ ଆକୃଷ୍ଟ କରିବାକୁ ପାରମ୍ପରିକ ଡିଜାଇନ୍ ସହ ଆଧୁନିକ ଫ୍ୟାଶନ୍ର ସମନ୍ୱୟ କରାଯାଇଥିବାରୁ ଏହାର ଚାହିଦା ଆହୁରି ବଢ଼ିଛି। ଇକତ୍ ଓ ବାନ୍ଧକଳାର ଆକର୍ଷଣୀୟ ନକ୍ସା, ଚକ୍ର, ଶଙ୍ଖ, ଫୁଲ ସମେତ ବିଭିନ୍ନ ପାରମ୍ପରିକ ମୋଟିଫ୍ ଥିବା ବସ୍ତ୍ର ପ୍ରତି ଗ୍ରାହକଙ୍କ ବିଶେଷ ଆଗ୍ରହ ରହିଛି।
ଉଫୁଲା ଗ୍ରାମର ଶିକ୍ଷୟିତ୍ରୀ ଏସ୍.ଏସ୍. ପ୍ରିୟଦର୍ଶନୀ କହିଛନ୍ତି, ‘‘ନୂଆଁଖାଇ ଆମର ସବୁଠୁ ବଡ଼ ପର୍ବ। ଏହି ଦିନ ସମସ୍ତେ ନୂଆ ଡ୍ରେସ୍ ଓ ଲୁଗା ପିନ୍ଧୁ। ଏବେ ସମ୍ବଲପୁରୀ ବସ୍ତ୍ର ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି। ଏଥିପାଇଁ ଏବେଠାରୁ ସମ୍ବଲପୁରୀ ଡ୍ରେସ୍ ଓ ଲୁଗା କିଣାକିଣି ଆରମ୍ଭ ହୋଇଛି। ନୂଆଁଖାଇ ଦିନ ସମସ୍ତେ ସମ୍ବଲପୁରୀ ପିନ୍ଧି ଆମ ପାରମ୍ପରିକ ପର୍ବ ପାଳନ କରିବୁ।’’
ବୀରମହାରାଜପୁରର ସମ୍ବଲପୁରୀ କପଡ଼ା ବ୍ୟବସାୟୀ ଶମ୍ଭୁ ଭୂଷଣ ମେହେର କହିଛନ୍ତି, ‘‘ଚଳିତ ବର୍ଷ ନୂଆଁଖାଇ ପାଇଁ ହାତବୁଣା ସମ୍ବଲପୁରୀ ବସ୍ତ୍ରର ଚାହିଦା ବେଶ୍ ରହିଛି। ଆମ ପାଖରେ ସମ୍ବଲପୁରୀ ଶାଢ଼ି ୮୦୦ ଟଙ୍କାରୁ ଆରମ୍ଭ କରି ୨୫ ହଜାର ଟଙ୍କା ପର୍ଯ୍ୟନ୍ତ, ସମ୍ବଲପୁରୀ ସୁଟ୍ ୮୦୦ରୁ ୯ ହଜାର ଟଙ୍କା ଏବଂ ସମ୍ବଲପୁରୀ ଥାନ କପଡ଼ା ୨୦୦ରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ଚାହିଦା ବଢ଼ୁଥିବାରୁ ସ୍ଥାନୀୟ ବୁଣାକାର ଓ ବ୍ୟବସାୟୀଙ୍କ ବେପାର ମଧ୍ୟ ଭଲ ହେଉଛି।’’
ନୂଆଁଖାଇ ଅବସରରେ ନିଜ ସଂସ୍କୃତି ଓ ପରମ୍ପରାର ପରିଚୟକୁ ପୋଷାକ ମାଧ୍ୟମରେ ପ୍ରକାଶ କରିବାକୁ ଯୁବପିଢ଼ି ମଧ୍ୟ ଆଗ୍ରହ ଦେଖାଉଛନ୍ତି। କେନ୍ଦୁପାଲି ଗ୍ରାମର ଜସ୍ମିନ ମେହେର କହିଛନ୍ତି, ‘‘ନୂଆଁଖାଇରେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବା ପାଇଁ ଏବେ ଯୁବପିଢ଼ି ବେଶ୍ ଆଗ୍ରହୀ। ନୂଆଁଖାଇ ଦିନ ସମ୍ବଲପୁରୀ ବସ୍ତ୍ର ପିନ୍ଧି ଫଟୋ ଉଠାଇ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିବୁ। ଏହା ଦ୍ୱାରା ସମ୍ବଲପୁରୀ ବସ୍ତ୍ରର ଲୋକପ୍ରିୟତା ବଢ଼ିବା ସହ ବିଶ୍ୱସ୍ତରରେ ଏହାର ପ୍ରଚାର ପ୍ରସାର ମଧ୍ୟ ହେଉଛି।’’
ଅମରପାଲି ଗ୍ରାମର ପ୍ରାଣବନ୍ଧୁ ସାହୁ କହିଛନ୍ତି, ‘‘ଏବେ ନୂଆଁଖାଇ ସହ ସମ୍ବଲପୁରୀ ପୋଷାକର ସମ୍ପର୍କ ଯୋଡ଼ି ହୋଇପଡ଼ିଛି। ସମ୍ବଲପୁରୀ ବସ୍ତ୍ର ଆମର ପରିଚୟ। ନୂଆଁଖାଇରେ ସମ୍ବଲପୁରୀ ଲୁଗା ପରିଧାନ ନ ହେଲେ ଯେପରି ପର୍ବ ଅଧୁରା ଲାଗେ। ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଏହି ଦିନ ସମ୍ବଲପୁରୀ ବସ୍ତ୍ର ପିନ୍ଧିବାକୁ ପସନ୍ଦ କରୁଛନ୍ତି। ଏହା ଦ୍ୱାରା ବୁଣାକାରମାନେ ଲାଭବାନ ହେବା ସହ ଆମର ପରିଚୟ ସମ୍ବଲପୁରୀ ବସ୍ତ୍ରର ମଧ୍ୟ ସୁଦୂର ପ୍ରଚାର ହେବ।’’
ସମ୍ବଲପୁରୀ ବସ୍ତ୍ରର ଚାହିଦା ବୃଦ୍ଧି ପାଇବାରୁ ସ୍ଥାନୀୟ ବୁଣାକାର ଓ ବସ୍ତ୍ର ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ନୂଆଁଖାଇକୁ ନେଇ ବିକ୍ରି ଆହୁରି ବଢ଼ିବ ବୋଲି ବ୍ୟବସାୟୀମାନେ ଆଶାବାଦୀ। ଅନ୍ୟପକ୍ଷରେ ସ୍ଥାନୀୟ ବୁଣାକାରଙ୍କ ହାତବୁଣା ବସ୍ତ୍ର କିଣିବା ଦ୍ୱାରା ପଶ୍ଚିମ ଓଡ଼ିଶାର ପାରମ୍ପରିକ ବୟନଶିଳ୍ପକୁ ଅଧିକ ପ୍ରୋତ୍ସାହନ ମିଳିବ ବୋଲି ମତ ପ୍ରକାଶ ପାଇଛି।
ନୂଆଁଖାଇର ଉତ୍ସବୀୟ ମାହୋଲ ମଧ୍ୟରେ ସମ୍ବଲପୁରୀ ବସ୍ତ୍ରର ବଢ଼ୁଥିବା ଚାହିଦା କେବଳ ବଜାରକୁ ଚଳଚଞ୍ଚଳ କରିନାହିଁ, ବରଂ ପଶ୍ଚିମ ଓଡ଼ିଶାର ସମୃଦ୍ଧ ବୟନ ପରମ୍ପରା ଓ ସାଂସ୍କୃତିକ ପରିଚୟକୁ ମଧ୍ୟ ଆହୁରି ମଜବୁତ କରୁଛି।

