ଭୁବନେଶ୍ୱର,୨୨।୬(ସୁନିତ ମିଶ୍ର): ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜ୍ୟ କଲ୍ୟାଣ ପାଣ୍ଠିରୁ ଅବସର ଗ୍ରହଣ କିମ୍ବା ଦେହାନ୍ତ କ୍ଷେତ୍ରରେ ଆଇନଜୀବୀ ଏବଂ ସେମାନଙ୍କ ପରିବାରକୁ ମିଳୁଥିବା ସହାୟତା ରାଶିର ପରିମାଣକୁ ୪୦ ପ୍ରତିଶତ ବୃଦ୍ଧି କରାଯାଇଛି।
ଏହି ନିଷ୍ପତ୍ତି ଫଳରେ ରାଜ୍ୟର ବିଭିନ୍ନ ଅଦାଲତରେ କାର୍ଯ୍ୟରତ ହଜାର ହଜାର ଆଇନଜୀବୀ ଓ ସେମାନଙ୍କ ପରିବାର ଉପକୃତ ହେବେ। ଉଲ୍ଲେଖଯୋଗ୍ୟ ଯେ, ଶେଷଥର ପାଇଁ ୨୦୨୧ ମସିହାରେ ଏହି ସହାୟତା ରାଶି ବୃଦ୍ଧି କରାଯାଇଥିଲା।
ନୂତନ ବ୍ୟବସ୍ଥା ଅନୁଯାୟୀ, ପାଞ୍ଚ ବର୍ଷ କିମ୍ବା ତା’ଠାରୁ କମ୍ ସମୟ ଧରି କାର୍ଯ୍ୟରତ ଥିବା ଆଇନଜୀବୀଙ୍କ ଦେହାନ୍ତ ହେଲେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ୧ ଲକ୍ଷ ୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ଏହା ପରେ ପ୍ରତ୍ୟେକ ଅତିରିକ୍ତ ବର୍ଷର କାର୍ଯ୍ୟାନୁଭବ ସହ ସହାୟତା ରାଶିର ପରିମାଣ ବୃଦ୍ଧି ପାଇବ।
ସେହିପରି, ୩୦ ବର୍ଷ କାର୍ଯ୍ୟରତ ଥିବା ଆଇନଜୀବୀ ଅବସର ଗ୍ରହଣ କଲେ କିମ୍ବା ଦେହାନ୍ତ ଘଟିଲେ ତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ସର୍ବାଧିକ ୬ ଲକ୍ଷ ୩୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ।
ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ଆଇନଜୀବୀ ସମାଜ ସ୍ୱାଗତ କରିଥିବା ବେଳେ ଏହା ଆଇନଜୀବୀମାନଙ୍କ ସାମାଜିକ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି।

