ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ ହୋଟେଲ ରୁମ, ଟ୍ରାଏଲ ରୁମ କିମ୍ବା ଚେଞ୍ଜିଂ ରୁମ୍ର ଲୁଚା କ୍ୟାମେରା (Hidden Camera) ଥିବା ଖବର ସାମ୍ନାକୁ ଆସୁଛି। ଏଭଳି ପରିସ୍ଥିତିରେ ନିଜର ସୁରକ୍ଷା ପାଇଁ ସତର୍କ ରହିବା ନିହାତି ଜରୁରୀ।
ଆସନ୍ତୁ ଜାଣିବା କିଛି ସହଜ ଉପାୟ, ଯାହା ସାହାଯ୍ୟରେ ଆପଣ ଲୁଚି ରହିଥିବା କ୍ୟାମେରାକୁ ସହଜରେ ଚିହ୍ନଟ କରିପାରିବେ:
୧.ରୁମ୍କୁ ଭଲ ଭାବେ ଯାଞ୍ଚ କରନ୍ତୁ:
ହୋଟେଲ ରୁମ କିମ୍ବା ଚେଞ୍ଜିଂ ରୁମ୍କୁ ଯିବା ମାତ୍ରେ ପ୍ରଥମେ ଚାରିପାଖକୁ ଭଲ ଭାବେ ଦେଖନ୍ତୁ। ବିଶେଷ କରି କୋଣ ଅନୁକୋଣ, କାନ୍ଥ ଘଣ୍ଟା, ଫଟୋ ଫ୍ରେମ, ସ୍ମୋକ ଡିଟେକ୍ଟର, ଟେବୁଲ ଲ୍ୟାମ୍ପ କିମ୍ବା ସଜାଯାଇଥିବା ସାମଗ୍ରୀ ଉପରେ ନଜର ରଖନ୍ତୁ। ଯଦି କୌଣସି ଜିନିଷରେ ଛୋଟ କଣା କିମ୍ବା ଅସ୍ବାଭାବିକ କିଛି ଦେଖାଯାଏ, ତେବେ ସତର୍କ ହୋଇଯାଆନ୍ତୁ।
୨. ଲାଇଟ ବନ୍ଦ କରି ଚେକ କରନ୍ତୁ:
ଲୁଚା କ୍ୟାମେରାରେ ଏକ ଛୋଟ ଲେନ୍ସ ଥାଏ, ଯାହା ଅନ୍ଧାରରେ ସାମାନ୍ୟ ଚମକିଥାଏ। ରମ୍ର ସମସ୍ତ ଲାଇଟ ବନ୍ଦ କରି ଧୀରେ ଧୀରେ ଚାରିଆଡ଼କୁ ଦେଖନ୍ତୁ। ଯଦି କୌଣସି ସ୍ଥାନରୁ ଛୋଟ ଆଲୋକ ବା ଚମକ ଦେଖାଯାଏ, ତେବେ ସେହି ସ୍ଥାନକୁ ଭଲ ଭାବେ ଯାଞ୍ଚ କରନ୍ତୁ।
୩. ମୋବାଇଲ ଫୋନର ବ୍ୟବହାର:
ଆପଣ ନିଜ ସ୍ମାର୍ଟଫୋନ ସାହାଯ୍ୟରେ ମଧ୍ୟ ଲୁଚା କ୍ୟାମେରା ଖୋଜିପାରିବେ। ରୁମ୍ର ଲାଇଟ ବନ୍ଦ କରି ମୋବାଇଲ କ୍ୟାମେରା ଅନ କରନ୍ତୁ ଏବଂ ରୁମ ଚାରିପାଖକୁ ବୁଲାନ୍ତୁ। ଅନେକ ସମୟରେ ଲୁଚା କ୍ୟାମେରାରେ ଥିବା ଇନଫ୍ରାରେଡ (Infrared) ଲାଇଟ ମୋବାଇଲ କ୍ୟାମେରାରେ ସ୍ପଷ୍ଟ ଦେଖାଯାଇଥାଏ।
୪. ଦର୍ପଣ ବା ଆଇନାର ଯାଞ୍ଚ (Two-Way Mirror Test):
କେତେକ କ୍ଷେତ୍ରରେ ’ଟୁ-ୱେ ମିରର’ ବ୍ୟବହାର କରାଯାଏ, ଯାହାର ପଛପଟୁ ସବୁକିଛି ଦେଖାଯାଏ। ଏହାକୁ ଚିହ୍ନିବା ପାଇଁ ଦର୍ପଣ ଉପରେ ନିଜ ଆଙ୍ଗୁଠି ରଖନ୍ତୁ। ଯଦି ଆଙ୍ଗୁଠି ଏବଂ ତାହାର ପ୍ରତିବିମ୍ବ ମଧ୍ୟରେ ସାମାନ୍ୟ ବ୍ୟବଧାନ (Gap) ଥାଏ, ତେବେ ଆଇନାଟି ସାଧାରଣ। କିନ୍ତୁ ଯଦି ଉଭୟ ପରସ୍ପର ସହ ଲାଗିରହନ୍ତି, ତେବେ ସେଠାରେ ବିପଦ ଥାଇପାରେ।
୫. ତୁରନ୍ତ ସୂଚନା ଦିଅନ୍ତୁ:
ଯଦି କୌଣସି ଜିନିଷ ଉପରେ ଆପଣଙ୍କର ସନ୍ଦେହ ହେଉଛି, ତେବେ ତାହାକୁ ନିଜେ ଖୋଲିବାକୁ ଚେଷ୍ଟା ନକରି ତୁରନ୍ତ ହୋଟେଲ ଷ୍ଟାଫ କିମ୍ବା ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଜଣାନ୍ତୁ। ଆବଶ୍ୟକ ପଡ଼ିଲେ ପୋଲିସରେ ମଧ୍ୟ ଅଭିଯୋଗ କରନ୍ତୁ।
ଏଣୁ ଯାତ୍ରା କିମ୍ବା ଶପିଂ ସମୟରେ ଏହି ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦେଲେ ଆପଣ ନିଜର ପ୍ରାଇଭେସିକୁ ସୁରକ୍ଷିତ ରଖିପାରିବେ। ମନେରଖନ୍ତୁ, ସାମାନ୍ୟ ସତର୍କତା ହିଁ ସବୁଠାରୁ ବଡ଼ ସୁରକ୍ଷା।

