ମୁମ୍ବାଇ,୧୩।୧୦: ବୟସ ମାତ୍ର ଏକ ସଂଖ୍ୟା! ୭୭ ବର୍ଷ ବୟସରେ ବି ନିଜ ନୃତ୍ୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିଣୁଛନ୍ତି ବଲିଉଡ୍ର ଡ୍ରିମ୍ ଗର୍ଲ ହେମା ମାଳିନୀ । ଅଭିନୟ ଓ ସୌନ୍ଦର୍ଯ୍ୟ ପାଇଁ ପରିଚିତ ହେମା ଜଣେ ଦକ୍ଷ ଭରତନାଟ୍ୟମ୍ ନୃତ୍ୟଶିଳ୍ପୀ ମଧ୍ୟ। ନବରାତ୍ରିର ପ୍ରଥମ ଦିନରେ ମଞ୍ଚରେ ତାଙ୍କର ଲୋକପ୍ରିୟ ନୃତ୍ୟନାଟିକା ‘ଦୁର୍ଗା’ ପରିବେଷଣ କରି ସେ ପୁଣି ଥରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି ।
ଅକ୍ଟୋବର ୧୧ ତାରିଖରେ ତେଲେଙ୍ଗାନାର କ୍ଲାସିକ୍ କନଭେନସନ୍ ସେଣ୍ଟରରେ ଆୟୋଜିତ ଅଗ୍ରୱାଲ ସମାଜର ‘ଅଗ୍ର ଦାଣ୍ଡିଆ ନବରାତ୍ରି ଉତ୍ସବ’ରେ ଯୋଗ ଦେଇଥିଲେ ହେମା ମାଳିନୀ। ମହାରାଜା ଅଗ୍ରସେନ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ନିଜର ପ୍ରସିଦ୍ଧ ନୃତ୍ୟନାଟିକା ‘ଦୁର୍ଗା’ ପରିବେଷଣ କରିଥିଲେ।
ଏହି ସ୍ୱତନ୍ତ୍ର ମୁହୂର୍ତ୍ତର କିଛି ଫଟୋ ହେମା ମାଳିନୀ ନିଜ ଇନ୍ଷ୍ଟାଗ୍ରାମ୍ରେ ସେୟାର କରିଛନ୍ତି । ନବରାତ୍ରିର ପ୍ରଥମ ଦିନରେ ‘ଦୁର୍ଗା’ ନୃତ୍ୟନାଟିକା ପରିବେଷଣ କରିବା ତାଙ୍କ ପାଇଁ ଏକ ବିଶେଷ ଅନୁଭୂତି ଥିଲା ବୋଲି ସେ କହିଛନ୍ତି । ଏହି ସୁଯୋଗ ପାଇ ନିଜକୁ ଧନ୍ୟ ମନେ କରୁଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ହେମା ମାଳିନୀଙ୍କର ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ଗଭୀର ଆଗ୍ରହ ରହିଛି। ପିତାଙ୍କ ପରାମର୍ଶରେ ସେ ନୃତ୍ୟନାଟିକା ପରିବେଷଣ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ପ୍ରଯୋଜନା ଥିଲା ‘ମୀରା’, ଯାହାକୁ ନୃତ୍ୟ ନିର୍ଦ୍ଦେଶକ ଭୂଷଣ ଲଖଣ୍ଡ୍ରୀ ପ୍ରସ୍ତୁତ କରିଥିଲେ। ପରବର୍ତ୍ତୀ ସମୟରେ ସେ ‘ରାମାୟଣ’ ଭଳି ନୃତ୍ୟନାଟିକା ମଧ୍ୟ ପରିବେଷଣ କରିଛନ୍ତି।
ନୃତ୍ୟକୁ କେବଳ କଳା ନୁହେଁ, ବରଂ ଭକ୍ତିର ଏକ ମାଧ୍ୟମ ଭାବେ ଗ୍ରହଣ କରନ୍ତି ହେମା। ତାଙ୍କର ଅଭିନୟ, ନୃତ୍ୟ ମୁଦ୍ରା ଓ ଭାବପ୍ରକାଶ ଆଜି ବି ଦର୍ଶକଙ୍କୁ ଆକର୍ଷିତ କରୁଛି। ଚଳଚ୍ଚିତ୍ର କଥା କହିବାକୁ ଗଲେ, ହେମା ମାଳିନୀ ଶେଷ ଥର ପାଇଁ ୨୦୨୦ରେ ମୁକ୍ତିଲାଭ କରିଥିବା ‘ଶିମ୍ଲା ମିର୍ଚ୍ଚି’ ଫିଲ୍ମରେ ନଜର ଆସିଥିଲେ। ତେବେ ରୁପେଲି ପରଦାଠାରୁ ଦୂରେଇ ରହିଥିଲେ ମଧ୍ୟ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସକ୍ରିୟ ରହିଛନ୍ତି । ୭୭ ବର୍ଷ ବୟସରେ ତାଙ୍କର ଏହି ନୃତ୍ୟ ପ୍ରଦର୍ଶନ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି।