ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଫଳରେ ରାଜ୍ୟରେ ବର୍ଷା ପରିମାଣ କମିଥିଲେ ମଧ୍ୟ ଆସନ୍ତା ୧୭ ତାରିଖ ଯାଏ ବର୍ଷା ଓ ବଜ୍ରପାତ ଲାଗି ରହିବ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ରବିବାର କୋରାପୁଟ ଜିଲା ବନ୍ଧୁଗଁାରେ ସର୍ବାଧିକ ୫୨ ମିମି ବର୍ଷା ହୋଇଥିଲାବେଳେ କନ୍ଧମାଳ ଜିଲା ଗୋଳାମୁଣ୍ଡାରେ ସର୍ବାନିମ୍ନ ୩୨ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ସୋମବାର କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତିର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଆଉ କିଛି ସ୍ଥାନରେ ଝଡ଼ବର୍ଷା ହେବ। ୧୫ ଓ ୧୬ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ୧୭ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ରାୟଗଡ଼ା, କୋରାପୁଟ ଓ ଗଜପତି ଜିଲାରେ କିଛି ସ୍ଥାନରେ ପ୍ରବଳ ବର୍ଷା ଓ ଆଉ କିଛି ସ୍ଥାନରେ ମଧ୍ୟମଧରଣର ବର୍ଷା ସମ୍ଭାବନା ଥିବାରୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ରବିବାର ଆକାଶରେ ବାଦଲ ଚାଲିଥିଲେ ମଧ୍ୟ ଅଳ୍ପ କିଛି ସ୍ଥାନରେ ବର୍ଷା ହୋଇଥିଲା। ଖରାତାତି ସହ ଗୁଳୁଗୁଳି ଅନୁଭୂତ ହୋଇଥିଲା। ପୁରୀରେ ସର୍ବାଧିକ ତାପମାତ୍ରା ୩୪. ୭ ଡିଗ୍ରୀ ଛୁଇଁଥିବାବେଳେ ପାରାଦୀପରେ ୩୪ ଡିଗ୍ରୀ, ଭୁବନେଶ୍ୱରରେ ୩୩.୬ ଡିଗ୍ରୀ, ଝାରସୁଗୁଡାରେ ୩୩.୫ ଡିଗ୍ରୀ, ରାଉରକେଲାରେ ୩୩.୫ ଡିଗ୍ରୀ ଓ ଦେବଗଡ଼ରେ ସର୍ବନିମ୍ନ ୨୭.୨ ଡିଗ୍ରୀ ରହିଥିଲା।
Dharitri – Odisha’s No.1 Odia Daily

