ଆଉ କିଛି ବର୍ଷ ମଧ୍ୟରେ ଜ୍ୱଳନ୍ତ ଚୁଲିରେ ପରିଣତ ହେବ ଭାରତ, ଗ୍ଲୋବାଲ ଓ୍ବାର୍ମିଂକୁ ନେଇ ଆଶ୍ଚର୍ଯ୍ୟଜନକ ଖୁଲାସା…

ନୂଆଦିଲ୍ଲୀ,୨୫।୧୦: ଟେକ୍ନୋଲୋଜି ସାହାଯ୍ୟରେ ଦ୍ରୁତ ଗତିରେ ବିକାଶଶୀଳ ବିଶ୍ୱ ସହିତ କାର୍ବନ ନିର୍ଗମନ ବୃଦ୍ଧି ହେତୁ ବିଶ୍ୱ ତାପମାତ୍ରା ପୃଥିବୀର ପରିବେଶ ପାଇଁ ସବୁଠାରୁ ବଡ ବିପଦ ଭାବରେ ଉଭା ହୋଇଛି। ଯଦି ସମଗ୍ର ବିଶ୍ୱରେ କାର୍ବନ ନିର୍ଗମନ ଏହିପରି ଜାରି ରହେ, ତେବେ ଏହା ପୃଥିବୀକୁ ଏକ ଜ୍ୱଳନ୍ତ ଚୁଲିରେ ପରିଣତ କରିବ ଯେଉଁଠାରେ ମାନବ ସଭ୍ୟତା ବଞ୍ଚିବା କଷ୍ଟକର ହୋଇଯିବ।

ବିଶ୍ୱର ଅନ୍ୟ ଦେଶମାନଙ୍କ ସହିତ ଭାରତରେ ଏହାର ପ୍ରଭାବ ପଡିବାକୁ ଯାଉଛି। ଡିଏସ୍‌ଟିରର ମହାମନା ସେଣ୍ଟର ଅଫ ଏକ୍ସିଲେନ୍ସ ଏଣ୍ଡ କ୍ଲାଇମେଟ୍‌ ରିସର୍ଚର ବିଶ୍ଳେଷଣ ଏହି ପୂର୍ବାନୁମାନ କରିଛି ଯେ ୨୦୪୦ ସୁଦ୍ଧା ଦେଶର ଅନେକ ସହରରେ ଉତ୍ତାପ ୪ରୁ ୧୦ ଗୁଣ ବୃଦ୍ଧି ପାଇପାରେ। ଏହି ଅଧ୍ୟୟନର ରିପୋର୍ଟରେ ଦାବି କରାଯାଇଛି , ୨୦୪୦ ସୁଦ୍ଧା ବିଶ୍ୱ ତାପମାତ୍ରା ହେତୁ ଅଙ୍ଗାରକାମ୍ଳ ନିର୍ଗମନକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଇଥିଲେ ମଧ୍ୟ ଉତ୍ତାପ ଅତି କମରେ ୪ରୁ ୭ଗୁଣ ବୃଦ୍ଧି ପାଇବ ଏବଂ ଯଦି ଏହି ପ୍ରୟାସ ବିଫଳ ହୁଏ ତେବେ ଉତ୍ତାପ ୫ ରୁ ୧୦ ଗୁଣ ବୃଦ୍ଧି ପାଇବ। ପ୍ରକାଶ ଯେ,୧୯୬୧ରୁ ୨୦୨୧ ମଧ୍ୟରେ ଭାରତରେ ଉତ୍ତାପ ତରଙ୍ଗର ଅବଧି ପ୍ରାୟ ୨.୫ ଦିନ ବୃଦ୍ଧି ପାଇଛି।

ବିଶେଷ କଥା ହେଉଛି ଜଳବାୟୁ ପରିବର୍ତ୍ତନ ଏବଂ ଦେଶର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ଉପରେ ଭାରତ ପାଣିପାଗ ବିଭାଗର ବୈଜ୍ଞାନିକମାନେ କରିଥିବା ଅଧ୍ୟୟନର ରିପୋର୍ଟ ସହିତ ଏହି ରିପୋର୍ଟ ମେଳ ଖାଉଛି। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ପାଣିପାଗ ବ୍ୟୁରୋ ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୬୦ ସୁଦ୍ଧା ଭାରତୀୟ ସହରରେ ଉତ୍ତାପ ତରଙ୍ଗର ଅବଧି ବୃଦ୍ଧି ପାଇବ ଏବଂ ଏହି ବୃଦ୍ଧି ୧୨ ରୁ ୧୮ ଦିନ ହୋଇପାରେ। ବିଶେଷକରି ଉତ୍ତର-ପଶ୍ଚିମ ଭାରତରେ ୩୦ ଦିନ ଅବଧି ମଧ୍ୟରେ ଅତି କମରେ ଚାରିଟି ଉତ୍ତାପ ତରଙ୍ଗ ହୋଇପାରେ ଯାହା ଅଂଶୁଘାତର କାରଣ ହେବ।

Share