ସୁସ୍ଥ ଶରୀର ଅନ୍ତରାଳେ

ଆମ ଶରୀରଟି ଜଳରେ ଗଢ଼ା ବୋଲି କହିଲେ କିଛି ଭୁଲ ହେବ ନାହିଁ। କାରଣ ଆମ ଶରୀର ଭିତରେ ଯେତେ ରକ୍ତ ପ୍ରବାହିତ ହେଉଛି, ତା’ର ଅଧାଅଧି ହେଉଛି କେବଳ ଜଳ। ତେଣୁ ଆମ ଶରୀର ଭିତରେ ଜଳର ପରିମାଣ ସବୁବେଳେ ସନ୍ତୁଳିତ ରହିବା ନିହାତି ଦରକାର। ଯଦି ଏଥିରେ ଅସନ୍ତୁଳନ ପରିଲକ୍ଷିତ ହେଲା, ତେବେ ଜଳୀୟ ଶୁଷ୍କତା ବ୍ୟତୀତ ଆଉ କେତେ ପ୍ରକାର ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହୋଇଥାଉ। ତେଣୁ ପ୍ରତିଦିନ ଆମେ ଆବଶ୍ୟକ ମୁତାବକ ଜଳ ପିଇବା ନିହାତି ଦରକାର। ଆମେ ପ୍ରତିଦିନ ଯେଉଁ ଖାଦ୍ୟ ଖାଉଛେ ତାହାକୁ ହଜମ କରିବାରେ ଜଳ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ଜଳ ପିଇବା ବ୍ୟତୀତ ଚା, କଫି, ସରବତ, ଫଳରସ, ଡାଲି, ତରକାରି ତଥା ଅନ୍ୟାନ୍ୟ ଖାଦ୍ୟ ମାଧ୍ୟମରେ ଆମ ଶରୀର ଭିତରକୁ ଜଳ ପ୍ରବେଶ କରେ। ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ଦୈନିକ ୨-୩ ଲିଟର ବା ପାଖାପାଖି ଅଢ଼େଇ ଲିଟର ପାଣି ପିଇବା ଦରକାର। ଆମ ପ୍ରତ୍ୟେକଙ୍କ ମସ୍ତିଷ୍କରେ ରହିଛି ତୃଷାକେନ୍ଦ୍ର। ଶରୀରରେ ଜଳର ପରିମାଣ କମିଗଲେ ତୃଷାକେନ୍ଦ୍ର ଏହି ଖବରପାଇ ସଜାଗ ହୋଇଉଠେ। ଫଳରେ ଆମକୁ ଶୋଷକରେ ଏବଂ ଜଳ ପିଇଦେଲେ ଏହି ଖବର ତୃଷାକେନ୍ଦ୍ର ନିକଟରେ ପହଞ୍ଚି ତୃଷାକେନ୍ଦ୍ରକୁ ଶାନ୍ତ କରିଦିଏ ଏବଂ ଆମର ଶୋଷ ମେଣ୍ଟିଯାଏ।