ବିଲରେ କାଟୁଥିଲେ ଧାନ, ଏବେ ପଢ଼ିବେ ଡାକ୍ତରୀ ପାଠ; ଖର୍ଚ୍ଚ ବହନ କରିବେ ସରକାର

ବାଲିଗୁଡ଼ା,୭ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ରାଜ୍ୟ ସରକାର। ତାଙ୍କର ବାପା ଅତ୍ୟନ୍ତ ଗରିବ ହୋଇଥିବାବେଳେ ସେ ହଷ୍ଟେଲ ଏବଂ ଅନ୍ୟାନ୍ୟ ପାଠପଢ଼ା ଖର୍ଚ୍ଚ ପାଇଁ କ୍ଷେତରେ ଶ୍ରମିକ ଭାବେ କାମ କରୁଥିଲେ। ଇଫୁ ଧାନବିଲରେ ଧାନ କାଟୁଥିବାର ଫଟୋ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଇଫୁଙ୍କ ଆର୍ଥିକ ସମସ୍ୟା ବିଷୟରେ ଅବଗତ ହେଲା ପରେ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ତ୍ୱରିତ ପଦକ୍ଷେପ ନେଇଛି। ଇଫୁଙ୍କ ପ୍ରଥମ ବର୍ଷ ପାଠପଢ଼ା ଖର୍ଚ୍ଚ ପାଇଁ ୬୨,୯୫୦ ଟଙ୍କା ମଞ୍ଜୁର କରିଛନ୍ତି ସରକାର।

ଇଫୁ କୋରାପୁଟସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଏମ୍‌ବିବିଏସ୍‌ରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ଚଳିତ ବର୍ଷ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ୍‌ରେ ସଫଳତା ହାସଲ କରିଥିଲେ। କିନ୍ତୁ ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ଅସମର୍ଥ ଥିଲେ। ତାଙ୍କର ପରିବାର ବହୁତ ଗରିବ ଥିବାରୁ ପାଠ ପଢ଼ିବା ଓ ଅନ୍ୟ ଖର୍ଚ୍ଚ ତୁଲାଇବା ପାଇଁ ଲକ୍ଷାଧିକ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ହୋଇପଡ଼ିଥିଲା। ଏହା ପୂର୍ବରୁ ବାଲିଗୁଡା ବ୍ଲକ ଅନ୍ତର୍ଗତ ବାଗ୍ରାମିଲା ଗାଁର ଗରିବ ମେଧାବୀ ଛାତ୍ର ଇଫୁଙ୍କ ଡାକ୍ତରୀ ପାଠପଢ଼ା ଖର୍ଚ୍ଚ ପାଇଁ କିସ ଫାଉଣ୍ଡେଶନ ସହାୟତା ଦେବା ନେଇ ପୂର୍ବରୁ ଘୋଷଣା କରିଛି। ଇଫୁଙ୍କୁ ଆବଶ୍ୟକ ଥିବା ସହାୟତା ସମ୍ପର୍କରେ କିଟ୍‌, କିସ୍‌ ଓ କିସ୍‌ ଫାଉଣ୍ଡେଶନ ପ୍ରତିଷ୍ଠାତା ତଥା କନ୍ଧମାଳ ଏମ୍‌ପି ଅଚ୍ୟୁତ ସାମନ୍ତ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ। ଇଫୁଙ୍କ ଆର୍ଥିକ ଅନଟନ ସମ୍ପର୍କରେ ଜାଣିବା ପରେ କିସ ଫାଉଣ୍ଡେଶନ ପକ୍ଷରୁ ତାଙ୍କର ଡାକ୍ତରୀ ପାଠପଢ଼ା ଖର୍ଚ୍ଚ ବହନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତି ପରେ ଇଫୁ ଏବଂ ତାଙ୍କ ପରିବାର କିସ୍‌ ଫାଉଣ୍ଡେଶନ ଓ ସାମନ୍ତଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି। କିସ୍‌ ଫାଉଣ୍ଡେଶନ ପକ୍ଷରୁ ଇଫୁ ଭଳି ଜଣେ ଗରିବ ମେଧାବୀ ଛାତ୍ରଙ୍କୁ କିସ୍‌ ଫାଉଣ୍ଡେଶନ ସହାୟତାର ହାତ ବଢ଼ଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି।