ସମ୍ପତ୍ତି ଲୋଭରେ ଭାଇବୋହୂଙ୍କୁ ହତ୍ୟାକଲେ ଦେଢ଼ଶୁର

ବ୍ରହ୍ମପୁର ଅଫିସ, ୮।୩ : ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ୨ଟି ହତ୍ୟାକାଣ୍ଡ ଘଟିଛି । ରବିବାର ରାତିରେ ଝାଡ଼ାଙ୍କୁଲି ଗ୍ରାମର କୋରା ସେଠୀଙ୍କୁ ହତ୍ୟା କରାଯାଇଥିବା ବେଳେ ତାଙ୍କ ପୁଅ ପ୍ରଶାନ୍ତଙ୍କୁ ମଧ୍ୟ ହତ୍ୟା ଉଦ୍ୟମ ହୋଇଥିଲା। ଏହିଧାରାରେ ସୋମବାର ମଧ୍ୟାହ୍ନରେ ଜଣେ ବିଧବାଙ୍କୁ ହତ୍ୟା କରାଯାଇଛି । ମୃତ ମହିଳା ଜଣଙ୍କ ବାଲିପଡା ଧୋବା ସାହିର ସ୍ବର୍ଗତ ଶିଶିର ବିଷୋୟୀଙ୍କ ସ୍ତ୍ରୀ ସୁଷମା ବିଷୋୟୀ (୪୦) । ଖବର ପାଇ ସଦର ଥାନାଧିକାରୀ ସନ୍ତୋସିନୀ ଓରାମ ଓ ତାଙ୍କ ଷ୍ଟାଫ୍‌ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି । ଘଟଣା ସ୍ଥଳରୁ ରକ୍ତଭିଜା ଠେଙ୍ଗା ଜବତ ହୋଇଛି।
ସୂଚନା ମୁତାବକ, ସ୍ବାମୀ ଶିଶିରଙ୍କ ମୃତ୍ୟୁ ପରେ ସୁଷମା ଗ୍ରାମରେ ଏକାକୀ ରହୁଥିଲେ। ଏଣୁ ସୁଷମାଙ୍କୁ ହତ୍ୟା କଲେ ତାଙ୍କ ନାମରେ ଥିବା ସମ୍ପତ୍ତି ନିଜ ନାମରେ କରିବା ପାଇଁ ତାଙ୍କ ଦେଢ଼ଶୁର ପ୍ରକାଶ ବିଷୋୟୀ ଯୋଜନା କରିଥିଲେ । ସୁଷମା ବିଲରୁ ମୁଗ ଡାଳ ଧରି ଘରକୁ ଫେରୁଥିବା ବେଳେ ପ୍ରକାଶ ଏକ ଠେଙ୍ଗାରେ ମହିଳାଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା । ଫଳରେ ବିଲରେ ହିଁ ସୁଷମା ଟଳି ପଡିଥିଲେ । ଏହି ଘଟଣା ପରେ ପ୍ରକାଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ମୃତ ମହିଳାଙ୍କ ଭାଇ ବାରିକ ସ୍ବାଇଁଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ହତ୍ୟା ମାମଲା ରୁଜୁକରି ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରିରଖିଛି ।