Categories: ବାଣିଜ୍ୟ

ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏମ୍‌ଡି ଆଦିତ୍ୟ ପୁରୀଙ୍କ ବିରୋଧରେ ମାମଲା

ମୁମ୍ବାଇ,୧୯।୯: ଆମେରିକା ଭିତ୍ତିକ ଲ ଫାର୍ମ ରୋଜେନ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ବିରୋଧରେ ପୁଣି ଥରେ ମାମଲା ଦାଏର କରିଛି। ନିବେଶକଙ୍କୁ ହୋଇଥିବା କ୍ଷତିର ଭରଣା ଲାଗି ଏହି ମାମଲା କରାଯାଇଥିବା ଜଣାପଡିଛି। ଏହା ପୂର୍ବରୁ ଉକ୍ତ ଫାର୍ମ ଜୁଲାଇରେ ଏକ ମାମଲା ଦାଏର କରିଥିଲା। ଏହି ମକଦ୍ଦମାରୁ ଏଚ୍‌ଡିଏଫ୍‌ସିର ଅଡୁଆ ବଢିପାରେ ବୋଲି କୁହାଯାଉଛି। ଏଚ୍‌ଡିଏଫ୍‌ସି ବ୍ୟାଙ୍କର ବର୍ତ୍ତମାନ ଏମ୍‌ଡି ଆଦିତ୍ୟ ପୁରୀ, ଦାୟିତ୍ୱ ନେବାକୁ ଥିବା ନୂଆ ଏମ୍‌ଡି ଶଶୀଧର ଜଗଦୀଶନ ଏବଂ ସଚିବ ହଲଦନକରଙ୍କୁ ବିରୋଧରେ ଲ ଫାର୍ମ ମାମଲା କରିଥିବା ଜଣାପଡିଛି। ଅଭିଯୋଗରେ କୁହାଯାଇଛି, ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଭୁଲ୍‌ ଦସ୍ତାବିଜ ପ୍ରଦାନ କରିଛି। ଏଥିଯୋଗୁ ନିବେଶକଙ୍କୁ କ୍ଷତି ସହିବାକୁ ପଡିଛି। ଏଥି ଲାଗି ବ୍ୟାଙ୍କ ନିବେଶକଙ୍କୁ ଏହାର ଭରଣା କରିବାକୁ ଦାବି କରାଯାଇଛି। ଆମେରିକାର ଡିଷ୍ଟ୍ରିକ୍ଟ କୋର୍ଟରେ ଏହି ମାମଲା ଦାୟର କରାଯାଇଛି। ବ୍ୟାଙ୍କ ଏଭଳି କାର୍ଯ୍ୟ ଜାଣି କିମ୍ବା ଅବହେଳାରେ କରିଛି। ଏହା ନିବେଶକଙ୍କ ସହ ବିଶ୍ୱାସଘାତ ବୋଲି ଅଭିଯୋଗ ହୋଇଛି। ୩୧ ଜୁଲାଇ ୨୦୧୯ଠାରୁ ୧୦ଅଗଷ୍ଟ ୨୦୨୦ ମଧ୍ୟରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ସିକ୍ୟୁରିଟିଜ କ୍ରୟ କରିଥିବା ନିବେଶକଙ୍କ ପକ୍ଷରୁ ଏଭଳି ଅଭିଯୋଗ ଆସିଛି।
ଏହା ପୂର୍ବରୁ ବ୍ୟାଙ୍କର ଭେଇକିଲ ବିଜ୍‌ନେସରେ ବିଭିନ୍ନ ଅନିୟମିତତା ସାମ୍ନାକୁ ଆସିଥିଲା। ଏହି ମାମଲାରେ ବ୍ୟାଙ୍କ କହିଥିଲା ଯେ, ସେହି ସମୟରେ ଭେଇକିଲ ଫାଇନାନ୍ସ ବିଭାଗରେ ବିଜ୍‌ନେସ ମୁଖ୍ୟ ଭାବେ କାର୍ଯ୍ୟରତ ଅଶୋକ ଖାନ୍ନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବ୍ୟାଙ୍କର ଅଟୋ ଲୋନ ନେଉଥିବା ଗ୍ରାହକ ଭେଇକିଲ ଟ୍ରାକିଂ ଡିଭାଇସ କିଣିବା ଲାଗି ଚାପ ପକାଯାଉଥିବା ଅଭିଯୋଗ ଆସିଥିଲା। ଏହି ଖବର ପ୍ରଘଟ ହେବା ପରେ ଆମେରିକାରେ ବ୍ୟାଙ୍କ ଡିପୋଜିଟୋରୀ ଶେୟାର ମୂଲ୍ୟ ୨.୮୩% ହ୍ରାସ ହୋଇଥିଲା। ବ୍ୟାଙ୍କ ନିକଟରେ ପର୍ଯ୍ୟାୟ ଡିସକ୍ଲୋଜର ନିୟନ୍ତ୍ରଣ ନ ରହିବା ଯୋଗୁ ଭେଇକିଲ ଫାଇନାକ୍ସ କମ୍ପାନୀର କାର୍ଯ୍ୟରେ ବିଭିନ୍ନ ଅନୀୟମିତତା ଆସିଥିବା ଲ ଫାର୍ମ ଅଭିଯୋଗ କରିଛି। ବ୍ୟାଙ୍କର ଏଭଳି ମନମୁଖି କାମ ଯୋଗୁ ଭେଇକିଲ କାରବାର ଡିଭିଜନ କାରବାର କ୍ଷତି ସହିଛି। ଏହାର ପ୍ରଭାବ ବ୍ୟାଙ୍କର ଫାଇନାନ୍ସ ଏବଂ ସମ୍ମାନ ଉପରେ ମଧ୍ୟ ପଡିଛି। ଗଣମାଧ୍ୟମ ରିପୋର୍ଟ ମୁତାବକ ବ୍ୟାଙ୍କ ବ୍ୟବସାୟରେ ଠିକ୍‌ ନୀତି ଗ୍ରହଣ କରି ନ ଥିଲା। ଫଳରେ ଜୁନ ତ୍ରୈମାସ ଲାଭ ଉପରେ ମଧ୍ୟ ଏହାର ପ୍ରଭାବ ମଧ୍ୟ ପଡିଛି। ବ୍ୟାଙ୍କର ଭ୍ରମାତ୍ମକ କାର୍ଯ୍ୟ ଯୋଗୁ ଅନେକ ସଂଖ୍ୟାରେ ନିବେଶକ କ୍ଷତିର ସାମ୍ନା କରିଥିବା ଅଭିଯୋଗ ଆସିଛି। ମାତ୍ର ଏହି ମାମଲାରେ କେତେ ପରିମାଣର କ୍ଷତିପୂରଣ ଲୋଡ଼ାଯାଇଛି ତାହା ଜଣାପଡିନାହିଁ।

Share