ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି। ବ୍ଲକର ବହଳପଦର ପଞ୍ଚାୟତ ସମେତ ଅନ୍ୟ କେତେଗୋଟି ପଞ୍ଚାୟତରେ ନୂତନ ରାଶନ କାର୍ଡ ପାଇଥିବା ହିତାଧିକାରୀମାନେ ୫ ମାସ ବିତିଯାଇଥିଲେ ମଧ୍ୟ ରାଶନ ଚାଉଳ ପାଇ ନ ଥିବା ଅଭିଯୋଗ କରିଛନ୍ତି। ଏ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବା ସହ ଚାଉଳ ବଣ୍ଟନରେ ଅନିୟମିତତା ନେଇ ଚର୍ଚ୍ଚା ଜୋର ଧରିଛି।
ବହଳପଦର ପଞ୍ଚାୟତର ଅମରପାଲି ଗ୍ରାମର ଚୁମକି ସାହୁଙ୍କ ନାମରେ ଫେବୃଆରୀ ୧୩ରେ ରାଶନ କାର୍ଡ ନଂ.୨୯୦୨୦୨୧୨୧୬୭ ଇସ୍ୟୁ ହୋଇଥିଲା। କାର୍ଡରେ ଚୁମକିଙ୍କ ସହ ସ୍ବାମୀ ରାକେଶଙ୍କ ନାମ ରହିଥିବା ବେଳେ ଜଣପିଛା ୫ କେଜି ଚାଉଳ ମିଳିବ ବୋଲି ଉଲ୍ଲେଖ ରହିଛି। ମାତ୍ର ୫ ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ରାଶନ ଚାଉଳ ମିଳିନାହିଁ। ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଯୋଗାଯୋଗ କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳୁ ନ ଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ପରିବାରରେ ୩ଜଣ ସଦସ୍ୟ ଥିଲେ ମଧ୍ୟ ରାଶନ କାର୍ଡରେ ମାତ୍ର ୨ଜଣଙ୍କ ନାମ ରହିଥିବା ମଧ୍ୟ ସେ କହିଛନ୍ତି। ସେହିପରି ଭାଲୁଡୁଙ୍ଗୁରୀ ଗ୍ରାମର ମନୀଷା ପଧାନଙ୍କ ନାମରେ ଫେବୃଆରୀ ୨୬ରେ ରାଶନ କାର୍ଡ ଇସ୍ୟୁ ହୋଇଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ଚାଉଳ ମିଳିନାହିଁ। ତାଙ୍କ ପରିବାରରେ ୩ ଜଣ ସଦସ୍ୟ ଥିବାବେଳେ କାର୍ଡରେ ୨ଜଣଙ୍କ ନାମ ରହିଛି। ଏହି ଗ୍ରାମର ସରୋଜିନୀ ସାହୁଙ୍କୁ ମଧ୍ୟ ଫେବୃଆରୀ ୧୬ରେ ରାଶନ କାର୍ଡ ମିଳିଥିଲେ ସୁଦ୍ଧା ଏଯାବତ ଚାଉଳ ପ୍ରଦାନ କରାଯାଇନାହିଁ। ଅଭିଯୋଗ ଅନୁଯାୟୀ, ଏହି ହିତାଧିକାରୀମାନେ ବ୍ଲକ କାର୍ଯ୍ୟାଳୟଠାରୁ ଆରମ୍ଭ କରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାରମ୍ବାର ଦୌଡ଼ିଥିଲେ ମଧ୍ୟ କେବଳ ମିଳିଯିବ ବୋଲି ଆଶ୍ୱାସନା ମିଳୁଛି। ଫଳରେ ୫ ମାସ ଧରି ସେମାନଙ୍କ ବକେୟା ଚାଉଳ କୁଆଡେ ଗଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ବୀରମହାରାଜପୁର ଯୋଗାଣ ଅଧିକାରୀ (ଏମ.ଆଇ.) କ୍ଷୀରୋଦ କୁମାର ଧଳଙ୍କୁ ପଚାରିବାରେ ଉକ୍ତ ହିତାଧିକାରୀମାନଙ୍କୁ ଚଳିତ ମାସରୁ ରାଶନ ଚାଉଳ ପ୍ରଦାନ କରାଯିବ। ସୂଚନାଯୋଗ୍ୟ, କେବଳ ବହଳପଦର ପଞ୍ଚାୟତ ନୁହେଁ, ବୀରମହାରାଜପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ମଧ୍ୟ ଶତାଧିକ ନୂତନ ରାଶନ କାର୍ଡଧାରୀ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ତେଣୁ ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରିବା ସହ ସମସ୍ତ ହିତାଧିକାରୀଙ୍କୁ ତୁରନ୍ତ ବକେୟା ରାଶନ ଚାଉଳ ପ୍ରଦାନ କରିବାକୁ ସାଧାରଣରେ ଦାବି ହେଉଛି।