ରେଗିଢ଼ି ଛକରେ ଠିକାଦାରଙ୍କୁ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୧୩।୯: ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଚଣ୍ଡିପଦର ଛକ ନିକଟ ରେଗିଢ଼ି ଛକରେ ମଙ୍ଗଳବାର ପୂର୍ବାହ୍ନରେ ଜଣେ ଠିକାଦାରଙ୍କୁ ହତ୍ୟା କରାଯାଇଛି। ୪/୫ ଜଣ ଦୁର୍ବୃତ୍ତ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣି ଅତି ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତକ ଜଣଙ୍କ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବଡ଼ଖରିଡାର ରାମସା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସ (୪୨)। ପୋଲିସ ଏସଂକ୍ରାନ୍ତରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା କହିଛି। ପୋଲିସ ମୃତ ଠିକାଦାରଙ୍କ ମୋବାଇଲ ଓ ବାଇକ ଜବତ କରିଛି।
ଘଟଣାରୁ ପ୍ରକାଶ ଯେ, ପୂର୍ଣ୍ଣଚନ୍ଦ୍ର ଦାସ କୌଣସି କାମରେ ମଙ୍ଗଳବାର ସକାଳେ ବ୍ରହ୍ମପୁର ଅଭିମୁଖେ ବାଇକ୍‌ରେ ଆସୁଥିବା ବେଳେ ରେଗିଢ଼ି ଛକ ପୂର୍ବରୁ ଏକ ନିଛାଟିଆ ସ୍ଥାନରେ ତାଙ୍କୁ ଦୁର୍ବୃତ୍ତମାନେ ସଙ୍ଘବଦ୍ଧ ଭାବେ ଖଣ୍ଡା ଓ ବିଭିନ୍ନ ପ୍ରକାର ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ ଖଣ୍ଡାରେ ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡ ଦୁଇଫାଳ କରିଦେବା ସହ ବେକ ଓ ଦୁଇ ଗୋଡ଼ ହାଣି ଦେଇଛନ୍ତି। ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ମେଡିକାଲ ପଠାଇଥିଲେ। ଖବରପାଇ ପୋଲିସ ମଧ୍ୟ ମେଡିକାଲରେ ପହଞ୍ଚିଥିଲା। ସେଠାରେ ଡାକ୍ତର ପୂର୍ଣ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ତାଙ୍କୁ ପିଛା କରିବା ସହ ଯୋଜନାବଦ୍ଧ ଭାବେ ପୂର୍ଣ୍ଣଚନ୍ଦ୍ରଙ୍କୁ ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଧେହ କରୁଛି।