ନିଜେ ସଫଳ ଅଭିନେତା ନ ହେଲେ ବି ୬ ଜଣଙ୍କୁ କଲେ ସୁପରଷ୍ଟାର

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ‘ଶୋ ମ୍ୟାନ’ ଭାବେ ପରିଚିତ ନାମୀ ନିର୍ଦ୍ଦେଶକ ସୁଭାଷ ଘାଇ ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କର ଜନ୍ମ ୨୪ ଜାନୁୟାରୀ ୧୯୪୫ରେ ନାଗପୁରରେ ହୋଇଥିଲା । ପ୍ରଥମେ ସୁଭାଷ ଜଣେ ଅଭିନେତା ହେବାକୁ ଇଚ୍ଛା ରଖିଥିଲେ ବି ଏଥିରେ ସେ ସଫଳ ହୋଇ ନ ଥିଲେ । ହେଲେ ଜଣେ ନିର୍ଦ୍ଦେଶକ ଭାବେ ସେ ହୋଇଛନ୍ତି ଖୁବ୍ ସଫଳ । ଆଉ ତାଙ୍କ ଫିଲ୍ମରେ କାମ କରିବାର ସୁଯୋଗ ଦେଇ ଶତ୍ରୁଘ୍ନ ସିହ୍ନା, ରିଶି କପୁର, ଜ୍ୟାକି ଶ୍ରଫ, ଅନିଲ କପୁର, ଐଶ୍ୱର୍ଯ୍ୟା ରାୟଓ ସଞ୍ଜୟ ଦତ୍ତଙ୍କୁ ସେ ସୁପରଷ୍ଟାର କରିପାରିଛନ୍ତି । ୧୯୬୭ରେ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ସୁଭାଷ ଘାଇ । ସେ ପ୍ରଥମେ ଫିଲ୍ମ ‘ତକଦିର’ରେ ଜଣେ ସହାୟକ ଅଭିନେତା ଭାବେ କାମ କରିଥିଲେ । ଏହାପରେ ୧୯୬୯ରେ ରାଜେଶ ଖାନ୍ନା ଓ ଶର୍ମିଳା ଟାଗୋରଙ୍କ ଅଭିନୀତ ଫିଲ୍ମ ‘ଆରାଧନା’ରେ ତାଙ୍କୁ ଏକ ଛୋଟିଆ ଚରିତ୍ର ମିିଳିଥିଲା । ଏହାପରେ ୧୯୭୬ରେ ‘ଉମଙ୍ଗ’, ‘ଗୁମରାହ’ରେ ଲିଡ ରୋଲରେ ନଜର ଆସିଲେ ସୁଭାଷ । ହେଲେ ଏତିକି ଫିଲ୍ମ କରିସାରିବା ପରେ ସୁଭାଷ ବୁଝି ଯାଇଥିଲେ କି ଅଭିନୟ ତାଙ୍କ ପାଇଁ କାଠିକର ପାଠ । ଏହାପରେ ସେ ନିର୍ଦ୍ଦେଶକ ହେବାକୁ ସ୍ଥିର କଲେ । ପ୍ରଥମେ ୧୯୭୬ରେ ସେ ‘କାଳିଚରଣ’ ଫିଲ୍ମର ନିର୍ଦ୍ଦେଶନା ଦେଲେ । ଯାହା ବକ୍ସ ଅଫିସରେ ସୁପରହିଟ୍ ହେଲା । ସେହିଠାରୁ ସେ ସ୍ଥିର କଲେ ଆଉ ଅଭିନେତା ନୁହେଁ ବରଂ ନିର୍ଦ୍ଦେଶନାରେ ସେ ଆଗକୁ ବଢିବେ । ଏହାପରେ ସେ ଦର୍ଶକଙ୍କୁ ଭେଟିଦେଲେ ଗୋଟିଏ ପରେ ଗୋଟିଏ ହିଟ୍ ମୁଭି । ସେଥିମଧ୍ୟରୁ କର୍ମା, ଖଳନାୟକ, କର୍ଜ, ହିରୋ, ମେରି ଜଙ୍ଗ, ପରଦେଶ, ୟାଦେଁ ଆଦି ଏବେବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି । ଏହାପରେ ସେ ମୁକ୍ତା ଆର୍ଟସ ନାମକ ନିଜର ପ୍ରଡକସନ୍ କମ୍ପାନୀ ଆରମ୍ଭ କଲେ । ଏବେ ସେ ବଲିଉଡ୍‌ର ଜଣେ ଆଗଧାଡିର ନିର୍ଦ୍ଦେଶକ ।

Share