ହାନ୍ତା ଭାଇରସ୍‌: ଅଙ୍ଗପ୍ରତ୍ୟଙ୍ଗକୁ ଶୀଘ୍ର ଅକାମୀ କରିଦିଏ

ନୂଆଦିଲ୍ଲୀ, ୧୦ା୫:‘ଏମ୍‌ଭି ହୋଣ୍ଡିଅସ୍‌’ ନାମକ ଏକ ବିଳାସପୂର୍ଣ୍ଣ ପର୍ଯ୍ୟଟନ ଜାହାଜରେ ହାନ୍ତା ଭାଇରସ୍‌ ସଂକ୍ରମଣର ଖବର ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି। ଡାକ୍ତରମାନଙ୍କ କହିବା ଅନୁଯାୟୀ, ଏହି ଭାଇରସ୍‌ କୋଭିଡ-୧୯ ପରି ସଂକ୍ରାମକ ନ ହେଲେ ମଧ୍ୟ ଏହା ଶରୀରର ମୁଖ୍ୟ ଅଙ୍ଗ ଯଥା ଫୁସଫୁସ୍‌ ଓ କିଡ୍‌ନୀ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଠିକ୍‌ ସମୟରେ ଚିକିତ୍ସା ନ ମିଳିଲେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ।
ଫୋର୍ଟିସ ମେମୋରିଆଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ର ବରିଷ୍ଠ ବିଶେଷଜ୍ଞ ଡାକ୍ତର ନେହା ରାସ୍ତୋଗୀଙ୍କ ଅନୁଯାୟୀ, ଏହି ଭାଇରସ୍‌ ମୁଖ୍ୟତଃ ମୂଷାଙ୍କ ଦ୍ୱାରା ବ୍ୟାପିଥାଏ। ସଂକ୍ରମିତ ମୂଷାଙ୍କ ପରିସ୍ରା, ଲାଳ କିମ୍ବା ମଳର ସଂସ୍ପର୍ଶରେ ଆସିଲେ ବା ଏହାର କଣିକା ଶ୍ୱାସକ୍ରିୟା ମାଧ୍ୟମରେ ଶରୀର ଭିତରକୁ ଗଲେ ମଣିଷ ସଂକ୍ରମିତ ହୋଇଥାଏ। ଏହି ଭାଇରସ୍‌ ରକ୍ତବାହୀ ନଳୀର କୋଷଗୁଡ଼ିକୁ ଆକ୍ରମଣ କରିଥାଏ, ଫଳରେ ରକ୍ତବାହୀ ନଳୀରୁ ତରଳ ପଦାର୍ଥ ଲିକ୍‌ ହୋଇ ଶରୀରର ବିଭିନ୍ନ ଅଙ୍ଗରେ ଜମିବାକୁ ଲାଗେ। ଏହାର ଦୁଇଟି ମୁଖ୍ୟ ରୂପ ଦେଖାଯାଏ। ପ୍ରଥମ ହେଲା ହାନ୍ତା ଭାଇରସ୍‌ ପଲମୋନାରି ସିଣ୍ଡ୍ରୋମ୍‌ (ଏଚ୍‌ପିଏସ୍‌), ଯାହା ଫୁସଫୁସ୍‌କୁ ପ୍ରଭାବିତ କରେ। ଦ୍ୱିତୀୟ ହେଲା ହେମୋରେଜିକ୍‌ ଫିଭର ୱିଥ୍‌ ରେନାଲ ସିଣ୍ଡ୍ରୋମ୍‌ (ଏଚ୍‌ଏଫ୍‌ଆର୍‌ଏସ୍‌), ଯାହା ମୁଖ୍ୟତଃ କିଡ୍‌ନୀକୁ କ୍ଷତି ପହଞ୍ଚାଏ।
ହାନ୍ତା ଭାଇରସ୍‌ର ସଂକ୍ରମଣର ୧ରୁ ୮ ସପ୍ତାହ ମଧ୍ୟରେ ଜ୍ୱର, କ୍ଲାନ୍ତି, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ବାନ୍ତି ଏବଂ ପେଟରେ ଯନ୍ତ୍ରଣା ପରି ଲକ୍ଷଣ ଦେଖାଦେଇଥାଏ। ଯେତେବେଳେ ଭାଇରସ୍‌ ଗୁରୁତର ରୂପ ନିଏ ସେତେବେଳେ ଫୁସଫୁସ୍‌ରେ ପାଣି ଜମିଯାଏ। ଫଳରେ ରୋଗୀଙ୍କୁ ନିଃଶ୍ୱାସ ନେବାରେ କଷ୍ଟ ହୁଏ ଏବଂ ଶରୀରରେ ଅମ୍ଳଜାନ ସ୍ତର ଦ୍ରୁତଗତିରେ କମିଯାଏ। ସେହିପରି କିଡ୍‌ନୀ ଉପରେ ପ୍ରଭାବ ପଡ଼ିଲେ ରକ୍ତଚାପ କମିଯାଏ ଏବଂ କିଡ୍‌ନୀ ଅକାମୀ ହେବାର ଆଶଙ୍କା ଥାଏ। ବର୍ତ୍ତମାନ ସୁଦ୍ଧା ହାନ୍ତା ଭାଇରସ୍‌ ପାଇଁ କୌଣସି ନିର୍ଦ୍ଦିିଷ୍ଟ ଆଣ୍ଟିଭାଇରାଲ ଚିକିତ୍ସା ନାହିଁ। ଏଷ୍ଟର ଆର୍‌.ଭି ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଅରବିନ୍ଦ ଏସ୍‌.ଏନ୍‌. କହିଛନ୍ତି, ଏହା କୋଭିଡ୍‌ ପରି ଜଣଙ୍କଠାରୁ ଅନ୍ୟ ଜଣକୁ ବାୟୁ ମାଧ୍ୟମରେ ବ୍ୟାପେ ନାହିଁ। ମଣିଷରୁ ମଣିଷକୁ ସଂକ୍ରମଣ ହେବା ଅତ୍ୟନ୍ତ ବିରଳ।

Dharitri – Odisha’s No.1 Odia Daily

Share