Categories: ଖେଳ

ହାମିଲଟନ ଜିତିଲେ ଷ୍ଟାଇରିଆନ ଗ୍ରାଁପ୍ରି

ସ୍ପିଲବର୍ଗ,୧୨ା୭: ଟିମ୍‌ମେଟ୍‌ ଭାଲଟେରି ବୋଟାସଙ୍କୁ ପଛରେ ପକାଇ ମର୍ସିଡିଜର ଲୁଇସ୍‌ ହାମିଲଟନ ଏଠାରେ ରବିବାର ଅନୁଷ୍ଠିତ ଷ୍ଟାଇରିଆନ ଫର୍ମୁଲା ଓ୍ବାନ ଗ୍ରାଁପ୍ରି ରେସ୍‌ ଜିତିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୫ତମ ଟାଇଟଲ। ସବୁଠାରୁ ଅଧିକ ୯୧ ଗ୍ରାଁପ୍ରି ଜିତି ମାଇକେଲ ସୁମାକର ଯେଉଁ ରେକର୍ଡ କରିଛନ୍ତି ତାହାଠାରୁ ସେ ୬ଟି ବିଜୟ ପଛରେ ରହିଛନ୍ତି। ଫେରାରିର ଦୁଇ ଡ୍ରାଇଭର ଚାଲର୍‌ସ ଲେକ୍‌ରେକ୍‌ ଓ ସେବାଷ୍ଟିଆନ ଭେଟେଲଙ୍କ ମଧ୍ୟରେ ପରସ୍ପର ଧକ୍କା ହୋଇଥିଲା। ଫଳରେ ଉଭୟଙ୍କୁ ରେସ୍‌ ଅଧାରୁ ବିଦାୟ ନେବାକୁପଡ଼ିଥିଲା। ଅନ୍ୟମାନଙ୍କ ମଧ୍ୟରେ ରେଡ୍‌ବୁଲ୍‌ର ମାକ୍ସ ଭର୍ଷ୍ଟାପେନ୍‌ ଓ ଆଲେକ୍‌ଜାଣ୍ଡର ଆଲବନ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ସେହିପରି ମ୍ୟାକଲରେନର ଲାଣ୍ଡୋ ନୋରିସ୍‌ ୫ମ ଏବଂ ରେସିଂ ପଏଣ୍ଟର ସର୍ଗିଓ ପେରେଜ ଓ ଲାନ୍ସ ଷ୍ଟ୍ରୋଲ ୬ଷ୍ଠ ଓ ୭ମ ସ୍ଥାନ ହାସଲ କରିଛନ୍ତି। ୮ମ, ୯ମ ଓ ୧୦ମ ସ୍ଥାନ ଯଥାକ୍ରମେ ରେନଲ୍ଟର ଡାନିଏଲ ରିକାର୍ଡୋ, ମ୍ୟାକଲରେନର କାର୍ଲୋସ ସେଞ୍ଜ୍‌ ଜୁନିୟର ଏବଂ ଆଲ୍‌ଫା ଟାଉରିର ଡାନିଲ କ୍ୟାତ୍‌ ଅଧିକାର କରିଛନ୍ତି।

Share