ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ରାଜପଥ କର୍ତ୍ତୃପକ୍ଷ ସମସ୍ତ ପ୍ରକଳ୍ପରେ ‘NHAI କେୟାର ସିଷ୍ଟମ୍’ ର ବ୍ୟବହାରକୁ ବାଧ୍ୟତାମୂଳକ କରିଛନ୍ତି। ଏନଏଚ୍‌ଏଆଇ ବୁଧବାର ଜାରି କରିଥିବା ଏକ ସର୍କୁଲାର ମାଧ୍ୟମରେ ଘଟଣା ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆମ୍ବୁଲାନ୍ସ ସେବା ପାଇଁ ଏକ ମାନକ SLA ଏବଂ ଦଣ୍ଡବିଧାନ ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ନେଇଛି।

ଏହି ନୂତନ ବ୍ୟବସ୍ଥା ଅଧୀନରେ ବର୍ତ୍ତମାନ NHAI ପ୍ରକଳ୍ପଗୁଡ଼ିକରେ ନିୟୋଜିତ ସମସ୍ତ ଅନ୍-ରୋଡ୍ ୟୁନିଟ୍, ଆମ୍ବୁଲାନ୍ସ/କ୍ରେନ୍/ପାଟ୍ରୋଲିଂ ଯାନ ପାଇଁ ‘NHAI କେୟାର ସିଷ୍ଟମ୍’ ର ବ୍ୟବହାର ବାଧ୍ୟତାମୂଳକ ହେବ । ଏହା ପାଇଁ ସମସ୍ତ ଅନ୍-ରୋଡ୍ ୟୁନିଟ୍‌ରେ AIS-140 ମାନକଯୁକ୍ତ GPS ଲଗାଯିବ। ଏହା ସହିତ ପ୍ରତ୍ୟେକ ୟୁନିଟ୍‌କୁ IoT ସିମ୍ ଥିବା ଆଣ୍ଡ୍ରଏଡ୍ ମୋବାଇଲ୍ ଡିଭାଇସ୍ ଦିଆଯିବ, ଯେଉଁଥିରେ NHAI କେୟାର ମୋବାଇଲ୍ ଆପ୍ଲିକେସନ୍ ପୂର୍ବରୁ ଇନଷ୍ଟଲ୍ ହୋଇଥିବ। ଅନ୍ୟପକ୍ଷରେ, ଘଟଣା ପରିଚାଳକମାନଙ୍କୁ ଆଣ୍ଡ୍ରଏଡ୍ ଟାବଲେଟ୍ ଦିଆଯିବ, ଯେଥିରେ NHAI କେୟାର ଡ୍ୟାସବୋର୍ଡ ଆପ୍ଲିକେସନ୍ ରହିବ।

NHAI ଏକ ୨୪×୭ କଲ୍ ସେଣ୍ଟର ମଧ୍ୟ ସ୍ଥାପନ କରିଛି, ଯେଉଁଥିରେ ପ୍ରତ୍ୟେକ ସିଫ୍ଟରେ ୮ ଜଣ ହେଲ୍ପଲାଇନ୍ କର୍ମଚାରୀ ଏବଂ ଜଣେ ଡାକ୍ତର ନିୟୋଜିତ ରହିବେ। ଏହା ବ୍ୟତୀତ ସମସ୍ତ ଆଞ୍ଚଳିକ କାର୍ଯ୍ୟାଳୟ (RO) ଏବଂ ପ୍ରକଳ୍ପ କାର୍ଯ୍ୟାନ୍ତ୍ରୟନ ଏକାଙ୍କ (PIU) କୁ NHAI କେୟାର ଡ୍ୟାସବୋର୍ଡର ସୁବିଧା ଏବଂ ଏହାର ବ୍ୟବହାର ସମ୍ବନ୍ଧରେ ପ୍ରଶିକ୍ଷଣ ଦିଆଯିବ। ଆମ୍ବୁଲାନ୍ସ ସେବାଗୁଡ଼ିକୁ ଅଧିକ ଉତ୍ତରଦାୟୀ କରିବା ପାଇଁ ୧୦ଟି ପ୍ରମୁଖ ମେଟ୍ରିକ୍ସ ଧାର୍ଯ୍ୟ କରାଯାଇଛି, ଯାହାର ପାଳନ ନ କଲେ ଜରିମାନା କରାଯିବ। ଯେପରିକି, NHAI କେୟାର ଆପ୍ କିମ୍ବା GPS ର ଉପଲବ୍ଧତା ୯୯ ପ୍ରତିଶତରୁ ଅଧିକ ରଖିବା ଜରୁରୀ ଅଟେ। ଏଥିରେ କମି ହେଲେ ଦିନକୁ ୨,୫୦୦ ଟଙ୍କା ଜରିମାନା କରାଯିବ। ଏହାବ୍ୟତୀତ କୌଣସି ଜରୁରୀକାଳୀନ ଟିକେଟ୍‌କୁ ଗୋଟିଏ ମିନିଟ୍‌ରୁ କମ୍ ସମୟ ମଧ୍ୟରେ ଗ୍ରହଣ କରିବାକୁ ପଡ଼ିବ ଏବଂ ଯଦି ଏଥିରେ ବିଳମ୍ବ ହୁଏ ତେବେ ପ୍ରତି ଅତିରିକ୍ତ ମିନିଟ୍ ପାଇଁ ୫,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ।

ସେହିପରି ୧୦ କିଲୋମିଟର ପର୍ଯ୍ୟନ୍ତ ଦୂରତାରେ ଆମ୍ବୁଲାନ୍ସକୁ ୧୦ ମିନିଟ୍ ଭିତରେ ଘଟଣାସ୍ଥଳରେ ପହଞ୍ଚିବାକୁ ପଡ଼ିବ ଏବଂ ଯଦି ବିଳମ୍ବ ହୁଏ ତେବେ ପ୍ରତି ଘଟଣା ପାଇଁ ୧୦,୦୦୦ ଟଙ୍କା ଜରିମାନା କରାଯିବ।

 

Dharitri – Odisha’s No.1 Odia Daily