ଲକ୍‌ଡାଉନ୍‌: ଟ୍ରକ୍‌ରେ ଚାଲାଣ ହେଉଥିଲା ଗୁଟ୍‌ଖା, ଅଟକ ରଖି ଯାଞ୍ଚ କରୁଛି ପୋଲିସ

କେନ୍ଦୁଝର,୬।୫(ସ୍ବ.ପ୍ର.): କେନ୍ଦୁଝର ସହର ଦେଇ ଲକ୍‌ଡାଉନ୍‌ ସମୟରେ ଯାଉଥିବା ଏକ ଗୁଟ୍‌ଖା ବୋଝେଇ ଟ୍ରକକୁ ଏସ୍‌ଆଇ ବିଶ୍ୱଜିତ୍‌ ବେହେରାଙ୍କ ନେତୃତ୍ୱରେ ଅଟକ ରଖି ଯାଞ୍ଚ କରାଯାଉଛି। ନକଲି, ଏକ୍ସପାଏରି ଗୁଟ୍‌ଖା ବେଆଇନ ଚାଲାଣ ହେଉଥିବା ସନ୍ଦେହ କରାଯାଉଥିବା ବେଳେ ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି। ଅଧିକ ତଦନ୍ତ ପାଇଁ ପୋଲିସ ଡ୍ରଗ୍ସ ବିଭାଗକୁ ଜବତ ସାମଗ୍ରୀ ହସ୍ତାନ୍ତର କରିଛି। ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ସଞ୍ଜୟ ହାଁସଦା କହିଛନ୍ତି, ପୋଲିସ ଟ୍ରକ ସହିତ ଗୁଟ୍‌ଖା ଟ୍ରକ ଅଟକ ରଖିଛି। ଏହାର ଜିଏସ୍‌ଟି ଜମା ହୋଇଛି କି ନାହିଁ, କେଉଁଠୁ ଆସିଲା କୁଆଡ଼େ ଯାଉଥିଲା ସବୁ ତଥ୍ୟ ଯାଞ୍ଚ ପରେ ଜଣାପଡ଼ିବ।

ସୂଚନାଯୋଗ୍ୟ, କେନ୍ଦୁଝର ଜିଲାକୁ ବହୁ ପରିମାଣରେ ଗୁଟ୍‌ଖା ଚୋରା, ନକଲି ଗୁଟ୍‌ଖା କାରବାର ହେଉଥିବା, ଜିଲା ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଛି। ଖଣି ଖାଦାନ ଅଞ୍ଚଳରେ ଗୁଟ୍‌ଖା କାରବାର ଅଧିକ ଥିବାରୁ ଚୋରା ବେପାରୀଙ୍କୁ ଏହା ସୁହାଇଛି।