ଗୁରୁ ଯାମିନୀ ରଞ୍ଜନଙ୍କୁ ‘ନୃତ୍ୟାଙ୍ଗନା ସମ୍ମାନ’

ଢେଙ୍କାନାଳ ଅଫିସ୍‌, ୧୬।୫: ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟାଙ୍ଗନା’ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ୭ମ ‘ନୃତ୍ୟାଙ୍ଗନା ସମ୍ମାନ ଉତ୍ସବ’। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ସଭାନେତ୍ରୀ ଅର୍ଚ୍ଚନା ପୁହାଣ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍‌ ଡ. ଭବାନୀ ଶଙ୍କର ମିଶ୍ର, ପୌର ପରିଷଦ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ସାମାଜିକ କର୍ମୀ ସୁନୀଲ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଯାମିନୀ ରଞ୍ଜନ ଦାସଙ୍କୁ ‘ନୃତ୍ୟାଙ୍ଗନା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ଅନୁଷ୍ଠାନର ସଭାନେତ୍ରୀ ମୋନାଲିସା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦିକା ଆଲୋକରାଣୀ ସ୍ବାଇଁ ବିବରଣୀ ପାଠ କରିଥିଲେ। ଗୁରୁ ସୁବାସ ଚନ୍ଦ୍ର ସ୍ବାଇଁ, ଶାଶ୍ୱତୀ ସାହୁ, ରୁପାଲି ପଣ୍ଡା, ନିବେଦିତା ସିଂ, କେବେରୀ ପ୍ରିୟଦର୍ଶିନୀ, ଦୀପ୍ତୀଶ ଶତପଥୀଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଡ. ଶମ୍ଭୁଦତ୍ତ ସ୍ବାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶନିବାର ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ବିଶିଷ୍ଟ ନାଟ୍ୟକାର ଦିଲୀଶ୍ୱର ମହାରଣା, ସାମାଜିକ କର୍ମୀ ସୁନୀଲ ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଗୁରୁ ସୁବାସ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ।