ଅନ୍ଧାରରେ ଗୁରୁପ୍ରିୟା ସେତୁ

ଚିତ୍ରକୋଣ୍ଡା,୧୧ା୧୨(କ୍ଷୀରୋଦ ବେହେରା): ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଆଦିବାସୀ ବହୁଳ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଲାଇଫ୍‌ଲାଇନ୍‌ ସାଜିଥିବା ଗୁରୁପ୍ରିୟା ସେତୁ ୩ ଦିନରୁ ଅଧିକ ହେଲାଣି ଅନ୍ଧାରରେ ରହିଛି। ସ୍ବାଭିମାନ ଅଞ୍ଚଳର ଲାଇଫ୍‌ଲାଇନ୍‌ ପାଲଟିଥିବା ଏହି ଗୁରୁପ୍ରିୟା ସେତୁ ଅନ୍ଧାରରେ ରହିଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ଗୁରୁପ୍ରିୟା ସେତୁ ଦେଖିବା ପାଇଁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ବର୍ତ୍ତମାନ ସ୍ବାଭିମାନ ଅଞ୍ଚଳ ବୁଲିବାକୁ ଆସୁଛନ୍ତି। ତେବେ ରାତି ସମୟରେ ଗୁରୁପ୍ରିୟା ସେତୁ ଉପରେ ଅନ୍ଧକାର ଦେଖି ପର୍ଯ୍ୟଟକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଗୁରୁପ୍ରିୟା ସେତୁ ଉପରେ ନିମ୍ନମାନର ଲାଇଟ୍‌ ଲଗାଯାଇଥିବାରୁ ଅଧିକାଂଶ ସମୟରେ ଗୁରୁପ୍ରିୟା ସେତୁ ଉପରେ ଲାଇଟ୍‌ ଖରାପ ହୋଇ ବନ୍ଦ ହୋଇଥାଏ। ବିଭାଗୀୟ ଅଧିକାରୀ ଓ ଲାଇଟ୍‌ ରକ୍ଷଣାବେକ୍ଷଣର ଦାୟିତ୍ୱ ନେଇଥିବା ଠିକାଦାର ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଗୁରୁପ୍ରିୟା ସେତୁ ଉପରେ ଲାଇଟ୍‌ ବାରମ୍ବାର ଖରାପ ହେଉଥିବା ସ୍ବାଭିମାନ ଅଞ୍ଚଳବାସୀ କହିଛନ୍ତି। ଅନ୍ୟ ପଟେ ଦେଖିବାକୁ ଗଲେ ଏବେ ବି ସ୍ବାଭିମାନାଞ୍ଚଳ ମାଓବାଦୀମୁକ୍ତ ହୋଇନାହିଁ ଏବଂ ଗୁରୁପ୍ରିୟା ସେତୁ ହିଁ ମାଓବାଦୀ ଦମନର ମୁଖ୍ୟ କାରଣ। ଏଣୁ ଗୁରୁପ୍ରିୟା ସେତୁ ଅନ୍ଧାର ଥିବା ହେତୁ ଏହାର ସୁରକ୍ଷାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯଦି କୌଣସି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବେ ବୋଲି ସ୍ବାଭିମାନ ଅଞ୍ଚଳବାସୀ କହିଛନ୍ତି।