ଗୁଣି ସନ୍ଦେହରେ ମାଡ଼ ଘଟଣା: ଥାନାରେ ଭଉଣୀଙ୍କ ଅଭିଯୋଗ

ଗଞ୍ଜାମ,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ ଗଡ଼ ହୁମ୍ମା ଗ୍ରାମରେ ଦୁଇ ଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗିବା ଘଟଣାରେ ସୋମବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆହତ କିଶୋର ଦାସଙ୍କ ଭଉଣୀ ସୋମବାର ଥାନାରେ ଲିଖିତ ଏତଲା ଦେଇଛନ୍ତି। ପ୍ରାୟ ଗ୍ରାମର ୬ରୁ ଊଦ୍ଧର୍‌ବ ଲୋକଙ୍କ ନାମ ଏତଲାରେ ଉଲ୍ଲେଖ ରହିଥିବା ଜଣାପଡିଛ। ଅନ୍ୟପଟେ ଆହତ ଦିଅର ଭାଉଜ ବର୍ତ୍ତମାନ ସୁସ୍ଥ ହୋଇଥିଲେ ମଧ୍ୟ ସେମାନେ ପୋଲିସ ହେପାଜତରେ ଥିବା ସୂଚନା ମିଳିଛି। ଗ୍ରାମରେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲେ ମଧ୍ୟ ରମ୍ଭା ଥାନା ଓ ହୁମା ଫାଣ୍ଡି ପୋଲିସ ନଜର ରଖିଛି।
ଏତଲା ପରେ ରମ୍ଭା ଥାନା ପୋଲିସ ପକ୍ଷରୁ କେସ ନଂ.୨୦୨/୨୨ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ।
ସୂଚନାଯୋଗ୍ୟ, ଶନିବାର ବିଳମ୍ବିତ ରାତିରେ ଗୁଣି ଗାରେଡ଼ିକୁ ନେଇ ଗ୍ରାମର କିଶୋର ଦାସ ଓ ରଞ୍ଜୁ ଦାସ ଦୁଇ ଜଣଙ୍କୁ କୋଠି କାଟୁଥିବା ବେଳେ ଗ୍ରାମବାସୀ ବାନ୍ଧିବା ସହ ମାଡ଼ ମାରି ଦାନ୍ତ ଭାଙ୍ଗିଦେଇଥିଲେ। ଯାହାକୁନେଇ ପୋଲିସ ପ୍ରଶାସନ ପହଞ୍ଚି ଆହତ ଦ୍ୱୟଙ୍କୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ମେଡିକାଲ ନେଇ ଚିକିତ୍ସା କରାଇଥିଲେ। ଉକ୍ତ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ତରଫରୁ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି । ଗ୍ରାମରେ ପରିସ୍ଥିତି ଆୟତ୍ତାଧୀନ ରହିଛି।