ଦକ୍ଷିଣ ଆଫ୍ରିକାରେ ଗୁଳିକାଣ୍ଡ: ୨୭ ମୃତ

କେପ୍‌ ଟାଉନ୍‌,୨୮ା୯: ଦକ୍ଷିଣ ଆଫ୍ରିକୀୟ ସହରରେ ୨ଟି ଗୁଳିକାଣ୍ଡ ଘଟଣାରେ ଅନୂ୍ୟନ ୨୭ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରଥମ ଘଟଣା ଶନିବାର ରାତିରେ ଜୋହାନ୍ସବର୍ଗ ନିକଟରେ ଥିବା ଏକ ବାର୍‌ରେ ଘଟିଛି। ୮ ଆକ୍ରମଣକାରୀ ଏକେ-୪୭ ରାଇଫଲ ଏବଂ ପିସ୍ତଲରୁ ଗୁଳି ଚଳାଇଥିଲେ ବୋଲି ପୋଲିସ କହିଛି। ରବିବାର ଭୋର ସମୟରେ କେପ୍‌ ଟାଉନ୍‌ ନିକଟରେ ଦ୍ୱିତୀୟ ଗୁଳିକାଣ୍ଡ ଘଟିଛି। ଉଭୟ ଘଟଣାରେ କାହାକୁ ଗିରଫ କରାଯାଇ ନାହିଁ। ସୂଚନାଯୋଗ୍ୟ, ୫ ଦିନ ପୂବରୁ ଡର୍ବାନ ସହର ନିକଟରେ ଏକ ଗୁଳିକାଣ୍ଡରେ ଅନୂ୍ୟନ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା।
ଶନିବାର ରାତିରେ ଓ୍ବେଡେଲା ସହରରେ ଥିବା ବାର୍‌ରେ ଗୁଳିକାଣ୍ଡ ଘଟିବାରୁ ୧୭ ଜଣ ପ୍ରାଣ ହରାଇଛନ୍ତି। ଆକ୍ରମଣକାରୀ ପ୍ରଥମେ ବାର୍‌ ବାହାରେ ଥିବା ଗ୍ରାହକମାନଙ୍କୁ ଗୁଳିମାଡ଼ କରିଥିଲେ। ଏହା ପରେ ସେମାନେ ଭିତରେ ପଶି ଗୁଳିଚାଳନା ଜାରି ରଖିଥିଲେ। ମୃତକଙ୍କ ମଧ୍ୟରୁ ୧୩ ଜଣ ପୁରୁଷ ଓ ୪ ଜଣ ମହିଳା। ଏହା ବ୍ୟତୀତ ଅନ୍ୟ ୧୫ ଜଣ ଗୁଳିମାଡ଼ରେ ଆହତ ହୋଇଛନ୍ତି। ଆକ୍ରମଣକାରୀ କେତେଜଣ ଗ୍ରାହକଙ୍କୁ ଖୋଜିବା ସହ ସେମାନଙ୍କ ମୋବାଇଲ୍‌ ଫୋନ୍‌ ନେଇ ୨ଟି ଗାଡ଼ିରେ ଫେରାର ହୋଇଯାଇଥିଲେ। ଏହାର ୪ ଘଣ୍ଟା ପରେ କେପ୍‌ ଟାଉନ୍‌ ନିକଟ ଲ୍ବାଣ୍ଡଲେଠାରେ ଥିବା ଏକ ଷ୍ଟୋର୍‌ରେ ଗୁଳିକାଣ୍ଡ ଘଟି ୧୦ ଜଣଙ୍କ ମୃତ୍ୟୁ ହେବା ସହ ୧୧ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଡର୍ବାନର ଦକ୍ଷିଣରେ ଥିବା କ୍ୱାମାଖୁଥା ସହରରେ ଏକ ଘରୋଇ ଉତ୍ସବ ଚାଲିଥିବାବେଳେ କେତେଜଣ ବନ୍ଧୁକଧାରୀ ଆକ୍ରମଣ କରିବାରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଦକ୍ଷିଣ ଆଫ୍ରିକାରେ ବହୁବର୍ଷ ହେଲା ହିଂସା ଅପରାଧ ବଢ଼ିଚାଲିଛି। ତେବେ ଚଳିତ ସପ୍ତାହର ଗଣଗୁଳିଚାଳନା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି।

Dharitri – Odisha’s No.1 Odia Daily

Share