ଭୁବନେଶ୍ୱର,୧୬।୧ବନ୍ଦନା ସେଠୀ): ଜନସ୍ବାସ୍ଥ୍ୟ, ପରିବେଶ ପରିମଳ ଏବଂ ବିମାନ ଚଳାଚଳ ଆଦିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ଆମିଷ ବର୍ଜ୍ୟ ପରିଚାଳନାକୁ କଡ଼ାକଡ଼ି କରାଯାଇଛି । ମାଛ, ମାଂସ, କୁକୁଡ଼ା ଦୋକାନ, କଂସେଇଖାନା ଆଦିରୁ ବାହାରୁଥିବା ବର୍ଜ୍ୟ ଏଣେତେଣେ ପକାଇଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ବିଏମ୍ସି ପକ୍ଷରୁ ସ୍ବତନ୍ତ୍ର ଗାଇଡ୍ଲାଇନ୍ ଜାରି କରାଯାଇଥିବାବେଳେ ଫେବୃଆରୀ ୧ରୁ ଚଢ଼ାଉ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି ।
ବିଏମ୍ସିର ସୂଚନାନୁସାରେ, ପ୍ରତ୍ୟେକ ମାଛ, ମାଂସ, ଅଣ୍ଡା ଦୋକାନ ଓ କଂସେଇଖାନା ପରିସରରେ ଆମିଷ ବର୍ଜ୍ୟ ସଂରକ୍ଷଣ କରିବା ବାଧ୍ୟତାମୂଳକ। ବର୍ଜ୍ୟଗୁଡ଼ିକୁ ଖୋଲାପାତ୍ର, ବାସ୍କେଟ୍ କିମ୍ବା ଅନାବୃତ ପାତ୍ରରେ ରଖାଯିବ ନାହିଁ। ସେହିପରି ରାସ୍ତା, ନାଳ, ଖୋଲାସ୍ଥାନ, ଜଳାଶୟ କିମ୍ବା ପଡ଼ିଆ ଜମିରେ ଆମିଷ ବର୍ଜ୍ୟ ନିଷ୍କାସନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସର୍ବନିମ୍ନ ୧୨୦ ମାଇକ୍ରୋନ୍ ମୋଟା ଜୈବ ବିଘଟନଯୋଗ୍ୟ ଆବର୍ଜନା ବ୍ୟାଗରେ ଏସବୁକୁ ସଂରକ୍ଷଣ କରି ରଖିବା ସହ କେବଳ ବିଏମ୍ସି ସଫେଇ ଗାଡ଼ିକୁ ହସ୍ତାନ୍ତର କରାଯିବ। ଏହାଦ୍ୱାରା ଏହାକୁ ବିଜ୍ଞାନସମ୍ମତ ସଂଗ୍ରହ ଓ ନିଷ୍କାସନ କରାଯାଇପାରିବ। ଆମିଷ ବ୍ୟବସାୟୀମାନେ ଆସନ୍ତା ଫେବୃଆରୀ ୧ ସୁଦ୍ଧା ଉପରୋକ୍ତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ଅନୁପାଳନ କରିବାକୁ ବିଏମ୍ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଅମାନ୍ୟ କଲେ କଠିନ ବର୍ଜ୍ୟ ପରିଚାଳନା ନିୟମ, ୨୦୧୬ ପୌରପାଳିକା ଅଧିନିୟମ ଏବଂ ପ୍ରଯୁଜ୍ୟ ସୁରକ୍ଷିତ ବିମାନ ଚଳାଚଳ ନିୟମ ଅନୁଯାୟୀ ସମ୍ପୃକ୍ତ ଉଲ୍ଲଘଂନକାରୀଙ୍କ ବିରୋଧରେ ବିଭିନ୍ନ ପଦକ୍ଷେପ ଭାବେ ବାଣିଜ୍ୟ ଲାଇସେନ୍ସ ରଦ୍ଦ କରିବା, ଦୋକାନ ବନ୍ଦ କରିବା ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଆଦି ଗ୍ରହଣ କରାଯିବ। ବିଏମ୍ସିର ଜୋନାଲ କମିଶନର, ସ୍ବାସ୍ଥ୍ୟ ଅଧିକାରୀ, ସାନିଟାରୀ ଇନ୍ସପେକ୍ଟର ଏବଂ ପ୍ରବର୍ତ୍ତନ ଟିମ୍ ୟୁନିଟ-୧, ୟୁନିଟ୍-୪ ଏବଂ ଅନ୍ୟାନ୍ୟ ସଂପୃକ୍ତ ବଜାର ଅଞ୍ଚଳଗୁଡ଼ିକରେ ବିଶେଷ ଧ୍ୟାନ ଦେଇ କଠୋର ତଦାରଖ, ବ୍ୟାପକ ପ୍ରଚାର ଓ ଏହି ଆଦେଶର ଉପଯୁକ୍ତ କାର୍ଯ୍ୟକାରିତାକୁ ନିଶ୍ଚିତ କରିବାକୁ କୁହାଯାଇଛି।
ବିଏମ୍ସି ପକ୍ଷରୁ କୁହାଯାଇଛି ଯେ, ଆମିଷ ବର୍ଜ୍ୟବସ୍ତୁର ଅନୁପଯୁକ୍ତ ପରିବହନ, ପରିଚାଳନା ଓ ନିଷ୍କାସନ ପାଇଁ ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରୁଛି। ଏହାଦ୍ୱାରା ପକ୍ଷୀମାନଙ୍କର ସମାବେଶ ହେଉଛି। ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ଚଳାଚଳ ସମୟରେ ପକ୍ଷୀ ମାଡ଼ ହୋଇ ଗୁରୁତର ବିପଦ ସୃଷ୍ଟି କରିବାର ସମ୍ଭାବନା ରହୁଛି।

