୩ ମାସ ତଳେ ହୋଇଥିଲା ନିର୍ମାଣ: ଭୁଶୁଡ଼ିଲା ଗାର୍ଡୱାଲ

ହିଞ୍ଜିଳିକାଟୁ,୨୨।୯(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଖରିଡ଼ା ଗ୍ରାମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାର୍ଯ୍ୟ ବେଳେ ଗୁରୁବାର ଗାଁ ମଧ୍ୟରେ ଥିବା ବଡ ବନ୍ଧର ଗାର୍ଡଓ୍ବାଲ ଧସି ଭୁଶୁଡ଼ି ପଡିଛି। ଫଳରେ କାର୍ଯ୍ୟର ଗୁଣାତ୍ମକମାନକୁ ନେଇ ଏବେ ପ୍ରଶ୍ନ ଉଠିଛି। ଓସାରିଆ ରାସ୍ତା କାର୍ଯ୍ୟ ପାଇଁ ଗାର୍ଡଓ୍ବାଲକୁ ଲାଗି ରହିଥିବା ମାଟି ଉପରେ ହିଟାଚି ମେଶିନ କାର୍ଯ୍ୟ କରିବା ବେଳେ ଗାର୍ଡଓ୍ବାଲ ଧସି ପଡିଥିଲା।

ପ୍ରକାଶ ଯେ, ବନ୍ଧଠାରୁ ନୂଆ ସାହି ପର୍ଯ୍ୟନ୍ତ ୧୬ ଲକ୍ଷ ଟଙ୍କା ଅଟକଳ ବ୍ୟୟରେ ୩ ମାସ ତଳେ ଗାର୍ଡୱାଲ ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ପୁଣି ଉକ୍ତ ସ୍ଥାନରେ ରାସ୍ତା ଓସାରିଆ କାର୍ଯ୍ୟ ଚାଲିଛି। ଗୁରୁବାର ପୋଖରୀ ଗାର୍ଡଓ୍ବାଲ ଭୁଶୁଡ଼ିବା ପରେ ଉଭୟ କାର୍ଯ୍ୟ ନିମ୍ନମାନର ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସର୍ମ୍ପକରେ ହିଞ୍ଜିଳିକାଟୁ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ କିମ୍ବା କନିଷ୍ଠ ଯନ୍ତ୍ରୀ ଅଫିସରେ ନ ଥିବାରୁ ଯୋଗାଯୋଗ ହୋଇପାରିନାହିଁ। ଗୁଣାତ୍ମକ କାର୍ଯ୍ୟ କରି ରାସ୍ତା କାର୍ଯ୍ୟ ତୁରନ୍ତ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।