ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍ ମ୍ୟାଚ୍ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଗୁଜରାଟ ପୂର୍ୱ ଭଳି ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଚେନ୍ନାଇ ପ୍ଲେଅଫ୍ ରେସରୁ ବିଦାୟ ନେଇଛି।
ଏହି ମ୍ୟାଚ୍ ଜରିଆରେ ଗିଲ୍ ଟି୨୦ ଫର୍ମାଟରେ ୬ ହଜାର ରନ ପୂରଣ କରିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟକୁ ଅଧିନାୟକ ଶୁବମନ ଗିଲ ଓ ସାଇ ସୁଦର୍ଶନ ୧୨.୨ ଓଭରରେ ୧୨୫ ରନର ମୂଳଦୁଆ ପ୍ରଦାନ ରଖିଥିଲେ। ଏହା ଦୁହିଁଙ୍କର ଦଶମ ଶତକୀୟ ଭାଗୀଦାରି ଥିଲା, ଯାହାକି ଆଇପିଏଲ୍ରେ ଯୁଗ୍ମ ସର୍ୱାଧିକ।
ଗିଲ୍ ୩୭ ବଲରେ ୬୪ (୭ ଚୌକା ଓ ୩ ଛକା) ରନ କରି ଆଉଟ୍ ହୋଇଥିଲେ। ନଂ.୩ରେ ଆସିଥିବା ବଟଲର, ସୁଦର୍ଶନଙ୍କ ସହ ମିଶି ୩୬ ବଲରେ ବିସ୍ଫୋରକ ୮୨ ରନ ଯୋଡ଼ି ଦଳୀୟ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ସୁଦର୍ଶନ ୫୩ ବଲରେ ୮୪ (୭ ଚୌକା ଓ ୪ ଛକା) ରନ କରି ଆଉଟ୍ ହୋଇଥିଲେ। ଏହା ତାଙ୍କର ଲଗାତର ପଞ୍ଚମ ଅର୍ଦ୍ଧଶତକ ଥିଲା। ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୨୨୯ ରନ କରିଥିଲା। ଜୋଶ ବଟଲର ୨୭ ବଲରେ ୫୭ (୫ ଚୌକା ଓ ୪ ଛକା) ରନ କରି ଅପରାଜିତ ରହିଥିଲେ। ଜବାବରେ ଚେନ୍ନାଇ ଆରମ୍ଭରୁ କ୍ରମାଗତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ଦଳ ୧୩.୪ ଓଭରରେ ୧୪୦ ରନରେ ଅଲଆଉଟ୍ ହୋଇଯାଇଥିଲା। କେବଳ ଶିବମ ଦୁବେ (୧୭ ବଲ, ୪୭ ରନ, ୪ ଲେଖାଏ ଚୌକା ଓ ଛକା)ଙ୍କୁ ଛାଡ଼ି ଦେଲେ ଅନ୍ୟକେହି ଆଖିଦୃଶିଆ ପ୍ରଦର୍ଶନ କରିପାରି ନ ଥିଲେ।