ଗହଣା ଦୋକାନରେ ଜିଏସ୍‌ଟି ଚଢ଼ାଉ

ବାରିପଦା ଅଫିସ,୨୧।୧୦-ମୟୂରଭଞ୍ଜ ଜିଲା ବାରିପଦା ସହର ଲାଲବଜାରସ୍ଥିତ ଭାରତୀ ଅଳଙ୍କାର ଦୋକାନରେ ଶୁକ୍ରବାର ଜିଏସ୍‌ଟି ବିଭାଗ ଚଢ଼ାଉ କରିଛି। ଗହଣା ଦୋକାନ ସମେତ ତୁଳସୀଚଉରା ବାସଭବନରେ ଏକକାଳୀନ ଚଢ଼ାଉ କରାଯାଇଛି। ବ୍ୟବସାୟୀ ତଥା ଦୋକାନ ମାଲିକ ପ୍ରଦୀପ କର୍ମକାରଙ୍କ ବିରୋଧରେ ଜିଏସ୍‌ଟି ଠକେଇ ନେଇ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ଏକ ଟିମ୍‌ ଶୁକ୍ରବାର ଦୋକାନ ଖୋଲିବା ପରେ ଚଢ଼ାଉ କରିଥିଲା। ଦୋକାନରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ସହ ଜିଏସ୍‌ଟି ସମ୍ବନ୍ଧୀୟ କାଗଜପତ୍ର ଜବତ କରାଯାଇଛି। ତେବେ କେତେ ପରିମାଣର ଠକେଇ ହୋଇଛି ସେ ସମ୍ପର୍କରେ କୌଣସି ତଥ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଠକେଇ ସମ୍ପର୍କରେ ସମ୍ପୂର୍ଣ୍ଣ ଆକଳନ ପରେ ଏହାର ତଥ୍ୟ ପ୍ରଦାନ ପାଇଁ ଗହଣା ଦୋକାନୀଙ୍କୁ ସମୟ ଦିଆଯିବ। ପରେ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବାରିପଦା ଜିଏସ୍‌ଟି ବିଭାଗ ଏନଫୋର୍ସମେଣ୍ଟର ଡେପୁଟି କମିଶନର କୁଳମଣି ମଲ୍ଲିକ ସୂଚନା ଦେଇଛନ୍ତି।