ବଢିବନି ପୋଷାକ ଦର

ନୂଆଦିଲ୍ଲୀ,୩୧।୧୨: ଉଦ୍ୟୋଗୀ ଓ ରାଜ୍ୟ ସରକାରଙ୍କ ବିରୋଧ ପରେ କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ ୫ରୁ ୧୨ ପ୍ରତିଶତ ଜିଏସ୍‌ଟି ବୃଦ୍ଧି ନିଷ୍ପତ୍ତିକୁ ଶୁକ୍ରବାର ବାତିଲ କରିଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧ ତାରିଖରୁ ପୋଷାକ ତଥା କପଡ଼ା ତିଆରି ସାମଗ୍ରୀ ଉପରେ ଅତିରିକ୍ତ ଜିଏସ୍‌ଟି ଦେବାକୁ ପଡିବ ନାହିଁ।

ସେପ୍ଟମ୍ବରରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ନିଷ୍ପତ୍ତି କ୍ରମେ ଜାନୁୟାରୀ ପହିଲାରୁ କପଡ଼ା ଏବଂ ଜୋତା ଉପରେ ଜିଏସ୍‌ଟି ୫ରୁ ୧୨ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତିକୁ ବିଭିନ୍ନ ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧ କରାଯାଇଥିଲା। କପଡ଼ାରେ ଜିଏସ୍‌ଟି ହାର ବୃଦ୍ଧି ଦ୍ୱାରା କାରବାରରେ ପ୍ରଭାବ ପଡିବ। ଏଥିସହ ବିଦେଶୀ କପଡ଼ା ଅଧିକ ବିକ୍ରି ହେବା ସହ ଟ୍ୟାକ୍ସ ଚୋରି ମାମଲା ବଢିବ ବୋଲି ଅଭିଯୋଗ ହୋଇଥିଲା। ଏପରି କି କପଡ଼ା ଓ ଜୋତା ଉପରୁ ଜିଏସ୍‌ଟି ପ୍ରତ୍ୟାହାର ନେଇ ବିଭିନ୍ନ ସହରରେ ବ୍ୟବସାୟୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Share