ଜିଆର୍‌ଏସ୍‌ ବହିଷ୍କାର ଘଟଣା: ଦୁଇ ସପ୍ତାହ ପାଇଁ ରୋକୋ ଲଗାଇଲେ ହାଇକୋର୍ଟ

ହାଟଡିହୀ,୯ା୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବାଲିବରେଇ ପଞ୍ଚାୟତର ପୂର୍ବତନ ଜିଆର୍‌ଏସ ପୂର୍ଣ୍ଣେନ୍ଦୁ କୁମାର ଥାଟୋଇଙ୍କୁ ଜିଲାପାଳଙ୍କ ଆଦେଶ ନଂ ୮୯୫୫/୨୮.୧୧.୨୩ରେ ଚାକିରିରୁ ବହିଷ୍କାର କରାଯାଇଥିଲା। ଉକ୍ତ ବହିଷ୍କାର ଆଦେଶ ବିରୋଧରେ ଥାଟୋଇ ଗତ ୪.୧୨.୨୩ରେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କେସ୍‌ ନଂ ଡବ୍ଲ୍ୟୁପି(ସି) ୩୯୬୧୧/୨୩ରେ ଏକ ମାମଲା ଦାୟର କରିଥିଲେ। କେନ୍ଦୁଝର ଜିଲାପାଳ, ଜିଲା ପରିଷଦ ସିଡିଓ ତଥା ଇଓ, ହାଟଡିହୀ ଏବଂ ତେଲକୋଇ ବ୍ଲକ ବିଡିଓଙ୍କୁ ପକ୍ଷଭୁକ୍ତ କରିଥିଲେ। ଗତ ୬.୧୨.୨୩ରେ ଉକ୍ତ ମାମଲାର ଶୁଣାଣି ହୋଇଥିଲା। ଦୁଇ ସପ୍ତାହ ପର୍ଯ୍ୟନ୍ତ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କିମ୍ବା ବହିଷ୍କାର କରାଯିବନି ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବା ଥାଟୋଇ କହିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୯କୁ ଧାର୍ଯ୍ୟ ହୋଇଛି।

ସୂଚନାଯୋଗ୍ୟ, ଜିଆରଏସ୍‌ ଥାଟୋଇ କିଛି ମାସ ପୂର୍ବରୁ ହାଟଡିହୀ ବ୍ଲକରୁ ତେଲକୋଇ ବ୍ଲକକୁ ବଦଳି ହୋଇଥିଲେ। ବିଭିନ୍ନ ସରକାରୀ ଯୋଜନାରେ ଅନିୟମିତତା ଏବଂ କାର୍ଯ୍ୟରେ ଅବହେଳା ହୋଇଥିବା ନେଇ ଅଭିଯୋଗ ହେବା ପରେ ବିଚାର କରି ଜିଲାପାଳ ତାଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ତେବେ ଥାଟୋଇ କହିଛନ୍ତି, ହୋଇଥିବା ଅଭିଯୋଗର ତଦନ୍ତ ରିପୋର୍ଟରେ ମୋର କୌଣସି ଭୂମିକା ନ ଥିବା ଉଲେଖ ରହିଛି। ଏଥିସହ ନିଜର ଏବଂ ନିଜ ବାପାଙ୍କ ଶାରୀରିକ ଅସୁସ୍ଥତାକୁ ନେଇ ବହୁବାର ଲିଖିତ ଭାବେ ପ୍ରଶାସନକୁ ଜଣାଇଛି। ଅଳ୍ପ ବେତନରେ ୧୦୦ରୁ ଊର୍ଦ୍ଧ୍ୱ କିଲୋମିଟର ଦୂର ବ୍ଲକରେ କାର୍ଯ୍ୟ କରିବା କଷ୍ଟକର ହେଉଥିବାରୁ ନିକଟସ୍ଥ ଏକ ବ୍ଲକକୁ ବଦଳି ପାଇଁ ପ୍ରାର୍ଥନା କରିଥିଲି। କିନ୍ତୁ କୌଣସି ପଦକ୍ଷେପ ନିଆଗଲା ନାହିଁ। ମୁଁ ନିର୍ଦ୍ଦୋଷ ସତ୍ତ୍ୱେ ମୋ’ ବିରୋଧରେ ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା। ଅପରପକ୍ଷେ ଏହି ଘଟଣାରେ ଅନ୍ୟ ସରକାରୀ ବାବୁମାନଙ୍କୁ ବଞ୍ଚାଇବା ପାଇଁ ଅଳ୍ପ ବେତନରେ କାର୍ଯ୍ୟ କରୁଥିବା ଛୋଟିଆ କର୍ମଚାରୀ ଜିଆରଏସ୍‌ଙ୍କୁ ବଳି ପକାଯାଇଥିବା କୁହାଯାଇଛି। ପ୍ରଶାସନର ଏପରି କାର୍ଯ୍ୟାନୁଷ୍ଠାନକୁ ନାପସନ୍ଦ ମଧ୍ୟ କରାଯାଇଛି।