ରାଶନ ଦୋକାନ ସିଲ୍‌ କଲା ପ୍ରଶାସନ

ଦାରିଙ୍ଗବାଡ଼ି,୧୦।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରିଥିବା ଅଭିଯୋଗରେ ଏକ ରାଶନ ଦୋକାନକୁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ସୋମବାର ମଧ୍ୟାହ୍ନରେ ସିଲ୍‌ କରିଦେଇଛନ୍ତି। ରାଜ୍ୟ ସରକାର ସମଗ୍ର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଚଳିତମାସ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନଗୁଡ଼ିକ ସକାଳ ୬ରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ଖୋଲା ରହୁଥିବା ବେଳେ ସିମନବାଡ଼ିର ଜଣେ ଦୋକାନୀ ଦୋକାନ ଖୋଲା ରଖି କାରବାର ଚଳାଇଥିଲେ। ସେହିପରି ତାଙ୍କ ଦୋକାନରେ ନା ରହିଥିଲା ସାମାଜିକ ଦୂରତା ନା ମାସ୍କ ବ୍ୟବହାର। ଏଭଳି କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ କରୁଥିବା ବେଳେ ତହସିଲଦାର କଳାକୃଷ୍ଣ ପ୍ରଧାନ, ରାଜସ୍ବ ନିରୀକ୍ଷକ କେଦାର ସାହୁ ପହଞ୍ଚି ଉକ୍ତ ରାଶନ ଦୋକାନକୁ ସିଲ୍‌ କରିଦେଇଥିଲେ ା ପରବର୍ତ୍ତୀ ଜିଲାପାଳଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଦୋକାନ ସିଲ୍‌ ଖୋଲାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ତହସିଲଦାର ସିମନବାଡ଼ି ଠାରେ ଥିବା ଷ୍ଟେଟ୍‌ବ୍ୟାଙ୍କରେ ଭିଡ଼ ଜମୁଥିବାରୁ ସେଠାରେ ପହଞ୍ଚି ଶାଖା ପରିଚାଳକଙ୍କୁ ମଧ୍ୟ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।