Categories: ବାଣିଜ୍ୟ

ସୋଆ ପକ୍ଷରୁ ସୂର୍ଯ୍ୟ ଦେଓଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,୮।୮: ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ସିନେ ସମୀକ୍ଷକ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତ ବର୍ଷ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର-୨୦୨୦ ନିମନ୍ତେ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର ସିନେମା’ ଶୀର୍ଷକ ପୁସ୍ତକକୁ ସ୍ବତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ ସୋଆର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର୍‌ ମନୋଜ ରଞ୍ଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଓଙ୍କୁ ତାଙ୍କର ଏହି ସଫଳତା ନିମନ୍ତେ ଶୁଭକାମନା ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ରଧାନ, ଉପଦେଷ୍ଟା ପ୍ରଫେସର ଜୟଦେବ ପତି, ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ, ସୁମା ରିୟଲ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ସିଇଓ ସୁନୀଲ ଦାସ, ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍‌ ସମ୍ପାଦକ ଗୋପାଳକୃଷ୍ଣ ମହାପାତ୍ର, ନିର୍ଦ୍ଦେଶକ (ସେଲ୍ସ ଆଣ୍ଡ ମାର୍କେଟିଂ) ହିମାଂଶୁ ହୋତା ଓ ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଦେବନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ପରିଶେଷରେ ସୋଆର ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Share