ଋଷିକୂଲ୍ୟା ମୁହାଣରେ ବିରଳ ପ୍ରଜାତିର ସବୁଜ କଇଁଛ

ଗଞ୍ଜାମ,୨୯ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଋଷିକୂଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଦେଖିବାକୁ ମିଳିଛି। ଉକ୍ତ ବିଶାଳକାୟ କଇଁଛଟି ସମୁଦ୍ରର ନୀଳ ଜଳରାଶି ମଧ୍ୟରୁ ଗଞ୍ଜାମ ବ୍ଲକର ପୋଡ଼ାମପେଟା ବେଳାଭୂମିକୁ ଉଠିଆସିଥିବା ବ୍ରହ୍ମପୁର ଡିଏଫ୍‌ଓ ସନି ଖୋଖର ସୂଚନା ଦେଇଛନ୍ତି। ଏହି ବିରଳ ପ୍ରଜାତିର କଇଁଛଟି ପ୍ରାୟ ଦୁଇରୁ ଅଢେଇ ଘଣ୍ଟା ବେଳାଭୂମି ଉପରେ ବୁଲିଥିଲା। ହେଲେ ଅଣ୍ଡାଦାନ କରି ନ ଥିବା କହିଛି ବନବିଭାଗ। କଇଁଛଟିର ଲମ୍ବ ୧.୪୫ ମିଟର ହୋଇଥିବା ବେଳେ ଓସାର ୮୮ ସେମି ରହିଥିଲା। ଓଜନ ପ୍ରାୟ
୧୪୦ କିଲୋ ହେବ ବୋଲି ଅନୁମାନ କରାଯାଇଛି। ବଙ୍ଗୋପସାଗରର ୪୮୦ କିଲୋମିଟର ଓଡିଶା ଉପକୂଳ ରହିଛି। ଋଷିକୁଲ୍ୟା, ଦେବୀ ଓ ଗହୀର ମଥାର ମୁହାଁଣ ଅଞ୍ଚଳରେ ସାମୁଦ୍ରିକ କଇଁଛମାନେ ଦେଖିବାକୁ ମିଳିଥାନ୍ତି। ଲେଦେର ବେଗ ସର୍ବବୃହତ ସାମୁଦ୍ରିକ କଇଁଛ ହୋଇଥିବା ବେଳେ ଗଞ୍ଜାମର ଋଷିକୁଲ୍ୟା ମୁହାଁଣରେ ପ୍ରଥମଥର ପାଇଁ ଏହି ବିରଳ ଦ୍ୱିତୀୟ ସର୍ବ ବୃହତ ସାମୁଦ୍ରିକ କଇଁଛ ଦୃଶ୍ୟମାନ ହୋଇଛି। ଯାହାକୁନେଇ ବିଭିନ୍ନ ମହଲରେ ଖୁସିର ଲହରି ଖେଳିଯାଇଛି।
ଏହି ପ୍ରଜାତିର କଇଁଛ ନିରାମିଷ ଆହାର କରୁଥିବା ଋଷିକୂଲ୍ୟା ସାମୁଦ୍ରିକ ସୁରକ୍ଷା କଇଁଛ ସମିତି ସମ୍ପାଦକ ରବିନ୍ଦ୍ର ନାଥ ସାହୁ ପ୍ରକାଶ କରିଛନ୍ତି। ଏହି ବିରଳ ପ୍ରଜାତିର କଇଁଛମାନେ ବିଶେଷକରି ଲାକ୍ଷା ଦୀପ, ଗଲ୍‌ଫ ଅଫ୍‌ ମନାର ପୋଷ୍ଟ (ଗୁଜରାଟ )ର ସମୁଦ୍ର ଅଞ୍ଚଳରେ ଦେଖିବାକୁ ମିଳିଥାଏ।