ଦାରିଙ୍ଗବାଡି, ୨୫ା୧୧ (ଅରୁଣ ସାହୁ): ଗାଁ ର ବିକାଶ ହେଲେ ପଞ୍ଚାୟତର ବିକାଶ ହେବ। ପଞ୍ଚାୟତ ଏବଂ ବ୍ଲକର ବିକାଶ ହେଲେ ରାଜ୍ୟ ଓ ଦେଶର ପ୍ରଗତି ହେବ। ଏଥିପାଇଁ ଆବଶ୍ୟକ ଲୋକଙ୍କ ଏକାଠି ହେବା ଓ ବସି ଅଞ୍ଚଳପାଇଁ ଆଲୋଚନା କରିବା। ଏପରି ଏକ କାର୍ଯ୍ୟକ୍ରମ ଗ୍ରାମ ପଞ୍ଚାୟତସ୍ତରୀୟ ଏକାଭିମୁଖିତା ମେଳା ମଙ୍ଗଳବାର କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିଆଙ୍ଗବାଲି ପଞ୍ଚାୟତରେ ଅନୁଷ୍ଠିତ ହୋଇଛି। ଏଥିରେ ଗ୍ରାମବିକାଶର ଜିଲା ଅଧିକାରୀ ବିଶ୍ୱଜିତ ସାହୁ ଅଧ୍ୟକ୍ଷତା କରିଥିଲେ। ସିଆଙ୍ଗବାଲି ସରପଞ୍ଚ ଆନ୍ଦ୍ରିକ ପ୍ରଧାନ, ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ ପ୍ରଧାନ, ବ୍ଲକ, ପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା, କୃଷି ବିଭାଗର ଅରୁଣ ପଟ୍ଟନାୟକ ଯୋଗ ଦେଇଥିଲେ। ମେଳାର ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା। ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହ ତାର ସମାଧାନ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ, ଲୋକ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, କୃଷି, ପ୍ରାଣିସମ୍ପଦ ବିଭାଗର ଅଧିକାରୀ ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଥିଲେ।

