ବିଷ ପିଇ ଚିକିତ୍ସାଧୀନ ଅବସ୍ଥାରେ ଜିପିଓଙ୍କ ମୃତ୍ୟୁ

ଭଞ୍ଜନଗର,୧୨ା୨(ଡି.ଏନ୍‌.ଏ.): ବିଷ ପିଇ ଗୁରୁତର ଥିବା ଭଞ୍ଜନଗର ବ୍ଲକର ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ(ଜିପିଓ) ପ୍ରମୋଦ ପଟ୍ଟନାୟକଙ୍କ ରବିବାର ମୃତ୍ୟୁ ଘଟିଛି। ସେ ଗତ ୧ ତାରିଖରେ ବିଷ ପିଇ ଗୁରୁତର ହୋଇଥିଲେ। ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଚାକିରିରୁ ଅବସର ନେବା ପୂର୍ବରୁ ଜିିପିଓଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ନାନା କଥା ଉଠୁଥିବା ବେଳେ ଭଞ୍ଜନଗର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ପ୍ରମୋଦ ଭଞ୍ଜନଗର ବ୍ଲକରେ ଦୀର୍ଘଦିନ ହେଲା କାର୍ଯ୍ୟରତ ଥିଲେ। ଗତ ପ୍ରାୟ ୨ ବର୍ଷ ହେବ ସେ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ଦାୟିତ୍ୱରେ ରହିଥିଲେ। ୩ ମାସ ପରେ ପ୍ରମୋଦ ଅବସର ନେବାକୁ ଥିବାବେଳେ ତାଙ୍କର ଅନ୍ୟତ୍ର ବଦଳି ହୋଇଥିଲା। ଗତ ଜାନୁୟାରୀ ୩୦ ତାରିଖରେ ଏଠାରୁ ବଦଳି ହୋଇ ଛତ୍ରପୁର ମୁଖ୍ୟ କାର୍ଯ୍ୟାଳୟକୁ ଯାଇଥିଲେ। ଗତ ୧ ତାରିଖରେ ଭଞ୍ଜନଗର ବ୍ଲକରେ ଦାୟିତ୍ୱ ହସ୍ତାନ୍ତର କରିବା ପରେ ବ୍ଲକ ବାହାରକୁ ଚାଲି ଯାଇଥିଲେ। ଏହାର କିଛି ଘଣ୍ଟା ପରେ ପୁଣି ବ୍ଲକକୁ ଆସି ଏକ ରୁମରେ ବସିଥିଲେ। ସେ ସମୟରେ ବିଡିଓ ଶଶୀଭୂଷଣ ମହାପାତ୍ର ବ୍ଲକ ସମ୍ମିଳନୀ କକ୍ଷରେ ଏକ ବୈଠକରେ ଥିବା ବେଳେ ପ୍ରମୋଦ ବିଷ ପିଇଥିବା ଖବର ପାଇଥିଲେ। ବିଡିଓ ତୁରନ୍ତ ଆସି ପ୍ରମୋଦଙ୍କୁ ମେଡିକାଲକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ବ୍ରହ୍ମପୁର ବଡ ମେଡିକାଲରେ ମୃତଦେହ ବ୍ୟବଚ୍ଛେଦ ପରେ ନିଜ ଗ୍ରାମ ସୋରଡାରେ ଅନ୍ତିମ ସତ୍କାର କରାଯାଇଛି।