ଅନନ୍ତ ନାଗେଶ୍ୱରନ୍‌ ହେଲେ ଦେଶର ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ,୨୮।୧: ବଜେଟ ଅଧିବେଶନ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ସରକାର ଦେଶର ନୂଆ ମୁଖ୍ୟ ଅର୍ଥନୀତିକ ପରାମର୍ଶଦାତା ଭାବେ ଡ. ଭେଙ୍କଟରମନ ଅନନ୍ତ ନାଗେଶ୍ୱରନଙ୍କୁ ନିଯୁକ୍ତି ଦେଇଛନ୍ତି । ତାଙ୍କୁ କେ.ଭି. ସୁବ୍ରମଣ୍ୟମଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛିି। ଡିସେମ୍ବର ମାସରୁ ଏହି ପଦ ଖାଲି ରହିଥିଲା।

ଜଣେ ଅର୍ଥନୀତିକ ବିଶାରଦ ଭାବେ ପରିଚିତ ଅନନ୍ତ ନାଗେଶ୍ୱରନ ପ୍ରାଥମିକ ଅବସ୍ଥାରେ ଅଧ୍ୟାପନା କ୍ଷେତ୍ରରେ ରହିଥିଲେ। ସେ ୧୯୮୫ରେ ଆଇଆଇଏମ୍‌ ଅହମ୍ମଦାବାଦରୁ ଏମ୍‌ବିଏରେ ପୋଷ୍ଟ ଗ୍ରାଜ୍ୟୁଏଟ ଡିପ୍ଲୋମା ହାସଲ କରିଥିଲେ। ଏହାପରେ ୧୯୯୪ରେ ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି।

୧୯୯୪ରୁ ୨୦୧୧ ମଧ୍ୟରେ ସେ ସ୍ବିଜରଲ୍ୟାଣ୍ଡ ଓ ସିଙ୍ଗାପୁରର ଅନେକ ଘରୋଇ ମାକ୍ରୋ ଇକୋନୋମି ଏବଂ କ୍ୟାପିଟାଲ ମାର୍କେଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ନେତୃତ୍ୱ ଭୂମିକା ତୁଲାଇ ଥିଲେ। ସେ ଆନ୍ଧ୍ର ପ୍ରଦେଶରେ ଥିବା କ୍ରେଆ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିକ ପାଠ୍ୟକ୍ରମର ପ୍ରଫେସର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।

୨୦୧୯ରୁ ୨୦୨୧ ମଧ୍ୟରେ ସେ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୀତିକ ପରାମର୍ଶଦାତା ପରିଷଦର ପାର୍ଟ ଟାଇମ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି। ଭେଙ୍କଟରମନ ଏକାଧିକ ବହି ମଧ୍ୟ ଲେଖି ଖ୍ୟାତି ଅର୍ଜନ କରିଛନ୍ତି।

 

Share