ନୂଆଦିଲ୍ଲୀ,୨୧ା୧୦: ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ଗୁଡ଼ିକ ପାଇଁ ନୂଆ ପରାମର୍ଶ ଜାରି କରିଛି କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ସମୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବ୍ୟବହାର କରୁଥିବା ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲଗୁଡ଼ିକୁ ବୁଧବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସତର୍କ କରାଇଛି। ବୁଧବାର ଜାରି ହୋଇଥିବା ଏହି ପରାମର୍ଶରେ ଆତଙ୍କବାଦ ବିରୋଧୀ ଅଭିଯାନର ସିଧା ପ୍ରସାରଣରୁ ଦୂରେଇ ରହିବା, ହିଂସାତ୍ମକ ଦୃଶ୍ୟ ପ୍ରସାରଣ ବେଳେ ସତର୍କତା ଅବଲମ୍ବନ କରିବା ଏବଂ ରାଷ୍ଟ୍ରବିରୋଧୀ ବିଷୟବସ୍ତୁ ପ୍ରସାରଣ ନକରିବାକୁ କୁହାଯାଇଛି ।
ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ଗୁଡ଼ିକୁ କେବୁଲ୍ ଟେଲିଭିଜନ୍ ନେଟୱର୍କ (ରେଗୁଲେସନ୍) ଆକ୍ଟ, ୧୯୯୫ ଏବଂ କେବୁଲ୍ ଟେଲିଭିଜନ୍ ନେଟୱର୍କ ରୁଲ୍ସ, ୧୯୯୪ ଅନୁଯାୟୀ ନିର୍ଦ୍ଧାରିତ ପ୍ରୋଗ୍ରାମ୍ କୋଡ୍କୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମନ୍ତ୍ରଣାଳୟ କହିଛି ଯେ କିଛି ଘରୋଇ ସାଟେଲାଇଟ୍ ଟିଭି ଚ୍ୟାନେଲ୍ ନିର୍ଦ୍ଧାରିତ ପ୍ରୋଗ୍ରାମ୍ କୋଡ୍ର ନିୟମ ପାଳନ କରୁନଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଇଣ୍ଟର-ଡିପାର୍ଟମେଣ୍ଟାଲ୍ କମିଟି (IDC) ବୈଠକରେ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକରେ ଦେଖାଯାଇଥିଲା ଯେ ଅନେକ ଚ୍ୟାନେଲ୍ରେ ସମାନ ବିଷୟକୁ ନେଇ ବାରମ୍ବାର ଖବର କିମ୍ବା ଦୃଶ୍ୟ ପ୍ରସାରଣ କରାଯାଉଛି। ଏହାପରେ ସମସ୍ତ ଘରୋଇ ସାଟେଲାଇଟ୍ ଚ୍ୟାନେଲ୍ଗୁଡ଼ିକୁ ଟେଲିଭିଜନ୍ରେ ପ୍ରସାରିତ ବିଷୟବସ୍ତୁ ସମ୍ପର୍କିତ ଆଇନଗତ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ଦେବା ପାଇଁ କମିଟି ସୁପାରିସ କରିଥିଲା। ପ୍ରସାରଣ ସମୟରେ ଅନୁଚିତ ଆଚରଣ କିମ୍ବା ଭାଷାକୁ ସାଧାରଣ କଥା ଭାବେ ଉପସ୍ଥାପନ ନକରିବାକୁ ମଧ୍ୟ କମିଟି ଗୁରୁତ୍ୱ ଦେଇଛି।