ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା ଯୋଗୁ ଗାଡ଼ିରେ ତ୍ରୁଟି ଦେଖାଦେଉଥିବା ନେଇ ଅଭିଯୋଗ ମିଳୁଥିଲା। ଏହାପରେ ସରକାର ପ୍ରାଥମିକ ଭାବେ ୨,୫୭୩ଟି ରିଟେଲ ଫ୍ୟୁଏଲ ଆଉଟଲେଟ୍‌ରେ ପେଟ୍ରୋଲ ବିକ୍ରି ବନ୍ଦ କରିଛନ୍ତି।

ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହିତ ସରକାରୀ ତୈଳ କମ୍ପାନୀଗୁଡ଼ିକ ଦେଶବ୍ୟାପୀ ଇନ୍ଧନର ଗୁଣବତ୍ତା ଏବଂ ପେଟ୍ରୋଲରେ ମିଶ୍ରଣର କାରଣ ନେଇ ଯାଞ୍ଚ କରୁଛନ୍ତି।

ସରକାର ଏବଂ ସରକାରୀ ତୈଳ କମ୍ପାନୀଗୁଡ଼ିକର ନଜରରେ ଦେଶର ପ୍ରାୟ ୯୦ ହଜାର ପେଟ୍ରୋଲ ପମ୍ପ ରହିଛି। ବର୍ତ୍ତମାନର ଯାଞ୍ଚର ମୁଖ୍ୟ ଫୋକସ ଭୂମିତଳରେ ଥିବା ପେଟ୍ରୋଲ ଷ୍ଟୋରେଜ ଟାଙ୍କରେ ପାଣି ପଶିବା ସମସ୍ୟା ଉପରେ ରହିଛି।

ପାଣି ମିଶିବା ଯୋଗୁ ପେଟ୍ରୋଲର ଗୁଣବତ୍ତା ଖରାପ ହେବା ଏବଂ ଗାଡ଼ିରେ ତ୍ରୁଟି ଦେଖାଦେବା ନେଇ ଅଭିଯୋଗ ପରେ ଯାଞ୍ଚର ପରିସର ବଢ଼ାଯାଇଛି। ଏହି ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନରେ ତିନିଟି ସରକାରୀ ତୈଳ କମ୍ପାନୀର ମୋଟ ୨,୫୭୩ଟି ପେଟ୍ରୋଲ ପମ୍ପରେ ପେଟ୍ରୋଲ ବିକ୍ରି ଉପରେ ରୋକ ଲଗାଯାଇଛି।

ଇଣ୍ଡିଆନ ଅଏଲ କର୍ପୋରେସନ (IOC): ୧,୨୫୭ ପେଟ୍ରୋଲ ପମ୍ପ
ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL): ୯୧୫ ପେଟ୍ରୋଲ ପମ୍ପ
ଭାରତ ପେଟ୍ରୋଲିୟମ କର୍ପୋରେସନ (BPCL): ୪୦୧ ପେଟ୍ରୋଲ ପମ୍ପ

ସରକାର ପ୍ରାୟ ୮୯ ହଜାର ରିଟେଲ ଆଉଟଲେଟ୍ର ଭୂମିତଳ ଷ୍ଟୋରେଜ ଟାଙ୍କରେ ପାଣି ପଶିଛି କି ନାହିଁ, ତାହାର ଯାଞ୍ଚ କରୁଛନ୍ତି। ଏଥିପାଇଁ ଟେଷ୍ଟିଂ ସମ୍ପର୍କିତ ଗାଇଡ୍ଲାଇନ ମଧ୍ୟ ଜାରି କରାଯାଇଛି।

ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, କିଛି ପେଟ୍ରୋଲ ପମ୍ପରେ ଷ୍ଟୋରେଜ ଟାଙ୍କର ଦିନକୁ ୮ରୁ ୧୨ ଥର ପର୍ଯ୍ୟନ୍ତ ଯାଞ୍ଚ କରାଯାଉଛି। ଯାଞ୍ଚ ସମୟରେ ନିରୀକ୍ଷଣ ବ୍ୟବସ୍ଥା ସହ ଜଡ଼ିତ ସିଷ୍ଟମଗୁଡ଼ିକୁ ମଧ୍ୟ ଯାଞ୍ଚ କରାଯାଉଛି। ଯେଉଁଠାରେ ସମସ୍ୟା ଚିହ୍ନଟ ହେଉଛି, ସେଠାରେ ତାହାକୁ ମରାମତି କରାଯିବା ସହ ଆବଶ୍ୟକତା ଅନୁଯାୟୀ ସିଷ୍ଟମ ବଦଳାଯାଉଛି।

 

Odisha’s No.1 Odia Daily

Share