ନୂଆଦିଲ୍ଲୀ, ୨୧ା୮ (ପି.ଟି.):ପାର୍ବଣ ଋତୁ ପୂର୍ବରୁ ବଜାରରେ ଚିନି ଦର ବୃଦ୍ଧି ଓ ଯୋଗାଣ ହ୍ରାସକୁ ରୋକିବା ପାଇଁ କେନ୍ଦ୍ର ସରକାର ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବୃହତ୍ ଚିନି ଗ୍ରାହକମାନଙ୍କ ପାଇଁ ସରକାର ସର୍ବୋଚ୍ଚ ମହଜୁଦ ସୀମା ଲାଗୁ କରିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଜୋଷୀ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ମାସକୁ ୧୦ ଟନ୍ରୁ ଅଧିକ ଚିନି ବ୍ୟବହାର କରୁଥିବା ସଂସ୍ଥାଗୁଡ଼ିକ ନିଜର ୧୫ ଦିନର ଆବଶ୍ୟକତାଠାରୁ ଅଧିକ ଚିନି ମହଜୁଦ ରଖିପାରିବେ ନାହିଁ। ଏହି ନିୟମ ସେପ୍ଟେମ୍ବର ୧ରୁ ଲାଗୁ ହୋଇ ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ନୂତନ ନିୟମ
ବିସ୍କୁଟ ଓ ମିଠା ପ୍ରସ୍ତୁତକାରୀ ସଂସ୍ଥା, କୋଲ୍ଡ ଡ୍ରିଙ୍କସ୍ କମ୍ପାନୀ, ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନିକ କ୍ରେତାଙ୍କ ପାଇଁ ଲାଗୁହେବ। ତେବେ କେନ୍ଦ୍ର ଓ ରାଜ୍ୟ ସରକାର, କେନ୍ଦ୍ରଶାସିତ ଅଞ୍ଚଳ ଅଧୀନ ସରକାରୀ ସଂସ୍ଥାଗୁଡ଼ିକୁ ଏହି କଟକଣାରୁ ବାଦ୍ ଦିଆଯାଇଛି। ଗଣେଶ ପୂଜା, ଦଶହରା ଓ ଦୀପାବଳି ଭଳି ପାର୍ବଣ ସମୟରେ ଚିନି ଚାହିଦା ବୃଦ୍ଧି ପାଉଥିବାବେଳେ ବଜାରରେ କୃତ୍ରିମ ଅଭାବ ଓ କଳାବଜାର ରୋକିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଏହା ପୂର୍ବରୁ ଅଗଷ୍ଟ ୧ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ଚିନି ବ୍ୟବସାୟୀଙ୍କ ପାଇଁ ମଧ୍ୟ ୪,୦୦୦ କୁଇଣ୍ଟାଲର ମହଜୁଦ ସୀମା ଧାର୍ଯ୍ୟ କରାଯାଇଥିଲା।
Dharitri – Odisha’s No.1 Odia Daily

