ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ୨ କର୍ମଚାରୀଙ୍କ ନାଁରେ ମାମଲା

ହାଟଡିହୀ,୩୦ା୬(ଡିି.ଏନ୍‌.ଏ.): ସରକାରୀ ଅର୍ଥ ଆତ୍ମସାତ ନେଇ କେନ୍ଦୁଝର ଜିଲା ହାଟଡିହୀ ତହସିଲର ଦୁଇ ପୂର୍ବତନ କର୍ମଚାରୀଙ୍କ ନାମରେ ତହସିଲଦାର ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। କର୍ମଚାରୀ ଦ୍ୱୟ ହେଲେ ବରିଷ୍ଠ କିରାଣୀ ଶ୍ରୀକାନ୍ତ ଜେନା ଏବଂ ଚେନ୍‌ମ୍ୟାନ ଅଭିମନ୍ୟୁ ଭୂୟାଁ । ଶ୍ରୀକାନ୍ତଙ୍କ ଘର ହାଟଡିହୀ ବ୍ଲକ ଚଣ୍ଡୀବିରଞ୍ଚିପୁର ହୋଇଥିବା ବେଳେ ସେ ଏବେ ହରିଚନ୍ଦନପୁର ତହସିଲରେ କାର୍ଯ୍ୟ କରୁଛନ୍ତି। ସେହିପରି ଅଭିମନ୍ୟୁଙ୍କ ଘର ଘସିପୁରା ବ୍ଲକ ଖାଳିଆମେଣ୍ଟା ଗ୍ରାମରେ। ସେ ଏବେ ଘସିପୁରା ତହସିଲରେ କାର୍ଯ୍ୟରତ ଅଛନ୍ତି।

ଅଭିଯୋଗ ଅନୁଯାୟୀ, ଗତ ୨୦୧୯ ଜୁଲାଇ ୧୨ରେ ଏକ ଟ୍ରାକ୍ଟର ଦ୍ୱାରା ବେନିୟମ ଭାବେ ବାଲି ଚାଲାଣ କରୁଥିବା ଜିତେନ୍ଦ୍ର ରାଉତ ରାୟଙ୍କଠାରୁ ରୟାଲଟି ଏବଂ ପେନାଲଟି ବାବଦରେ ୪୦ ହଜାର ଟଙ୍କା ଆଦାୟ କରାଯାଇଥିଲା। ରସିଦ ପୁସ୍ତକନଂ. ୦୧୪୩୩୬୪ ଅଟେ। କିନ୍ତୁ ସରକାରୀ ରାଜକୋଷରେ ୪ ହଜାର ଟଙ୍କା ଜମା କରାଯାଇଥିବା ବେଳେ ଅବଶିଷ୍ଟ ୩୬ ହଜାର ଟଙ୍କା ଆତ୍ମସାତ କରାଯାଇଥିଲା। ଏହାକୁ ନେଇ ଓଡ଼ିଶା ଲୋକାୟୁକ୍ତଙ୍କ ନିକଟରେ ମାନବାଧିକାର କର୍ମୀ ହିମାଂଶୁ ଶେଖର ନାୟକ ଅଭିଯୋଗ କରିଥିଲେ। ପରେ ଓଡ଼ିଶା ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗ ଚିଠି ନଂ.୧୬୨୦୮/୧୮ା୫ା୨୦୨୨ ଅନୁସାରେ କେନ୍ଦୁଝର ଜିଲା ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଜିଲା ପ୍ରଶାସନ ଚିଠିନଂ. ୧୨୬୨/୧୩ା୬ା୨୦୨୨ରେ ହାଟଡିହୀ ତହସିଲଦାରଙ୍କୁ ସମ୍ପୃକ୍ତ ଦୁଇ କର୍ମଚାରୀଙ୍କ ନାମରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ତହସିଲଦାର ଦିଲ୍ଲୀପ କୁମାର ସାହୁ ଚିଠିନଂ. ୨୦୮୪/୧୮ା୬ା୨୦୨୨ରେ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଦଫା ୪୦୮, ୪୬୭, ୪୬୮,୧୨୦ବି, ୩୪ରେ ଏକ ମାମଲା(ନଂ.୧୩୭/୨୨) ରୁଜୁ କରିଛି l