ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ ପଡ଼ିଥିବା ଦେଖିବାକୁ ମିଳିଛି । ବହୁବର୍ଷ ପୂର୍ବରୁ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଔଷଧ ବାହାରେ ପଡିବା ନଜିର ଆସିଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର କାରଣ ଜଣା ପଡ଼ିନାହିଁ । ସବୁଠାରୁ ବଡ଼ କଥା ହେଉଛି ଅନେକ ଔଷଧର ଏକ୍ସପାୟାରି ତାରିଖ ମଧ୍ୟ ଶେଷ ହୋଇନାହିଁ । ଏହି ଔଷଧ ଗୁଡିକ ପ୍ରାୟତଃ ମ୍ୟାଲେରିଆ ରୋଗପାଇଁ ଦିଆଯାଉଥିବା ଜଣାପଡିଛି ।
ତେବେ ଏହି ଔଷଧ କିଏ ଏବଂ କାହିଁକି ଏଭଳି ଫିଙ୍ଗିଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ତେବେ ସେଗୁଡ଼ିକୁ କାହିଁକି ଫିଙ୍ଗାଯାଇଛି ଯଦି ଏକ୍ସପାୟାରି ତାରିଖ ସରିଯାଇଛି ତାହେଲେ ନିୟମ ଅନୁସାରେ ଜିଲାକୁ ଫେରସ୍ତ ନକରି ଖୋଲାରେ କାହିଁକି ପକାଯାଇଛି। ଏହାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଅପରପକ୍ଷେ ମୋହନା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମାଗଣାରେ ଔଷଧ ମିଳୁନଥିବାବେଳେ ଯାହାକି ସଦା ସର୍ବଦା ବାହାର ଔଷଧ ଦୋକାନରୁ କିଣିବାକୁ ରୋଗୀଙ୍କୁ ବାଧ୍ୟ ହେଉଛି । ଏହି ସମ୍ପର୍କରେ ଜିଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ଏହି ଔଷଧ ଗୁଡିକ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବେଚ୍ ନମ୍ବର ମେଳ ଖାଉନାହିଁ ଏବଂ ତଦନ୍ତ ପରେ ଏହା ଜଣାପଡିବ ବୋଲି କହିଛନ୍ତି ।

