Categories: ବାଣିଜ୍ୟ

ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୩ା୯: ଚଳିତ ବର୍ଷ ସେପ୍ଟେମ୍ବର ୧ରୁ କେନ୍ଦ୍ର ସରକାର ପୁଣି ଥରେ ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ବଢ଼ାଇଛନ୍ତି। ଏହା ପରେ ତେଲ କମ୍ପାନୀଗୁଡିକ ବିଦେଶକୁ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩.୫୦ ଟଙ୍କା ଏବଂ ଏଟିଏଫ୍‌ର ରପ୍ତାନି ଉପରେ ୯ ଟଙ୍କା ପ୍ରତି ଲିଟର ଦେବାକୁ ପଡ଼ିବ। ଏହା ସହ ଦେଶରେ ଉତ୍ପାଦିତ ହେଉଥିବା ଅଶୋଧିତ ତୈଳ ଉପରେ ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ୩୦୦ ଟଙ୍କା ବୃଦ୍ଧିକରି ୧୩,୩୦୦ ଟଙ୍କା କରି ଦିଆଯାଇଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଏକ ଅଧିସୂଚନା ଜାରି କରି ଚତୁର୍ଥ ସମୀକ୍ଷା ବୈଠକରେ ୱିଣ୍ଡଫଲ ପ୍ରଫିଟ ଟ୍ୟାକ୍ସ ବଢାଇବା ନେଇ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି। ଡିଜେଲ ରପ୍ତାନି ଉପରେ ୱିଣ୍ଡଫଲ୍‌ ପ୍ରଫିଟ ଟ୍ୟାକ୍ସକୁ ୭ ଟଙ୍କା ବଢ଼ାଇ ୧୩.୫୦ ଟଙ୍କା କରାଯାଇଛି। ସେହିପରି ଏଟିଏଫ୍‌ ଉପରେ ଟ୍ୟାକ୍ସକୁ ୨ ଟଙ୍କାରୁ ବଢ଼ାଇ ୯ ଟଙ୍କା କରାଯାଇଛି। ସେହିପରି ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ ପ୍ରତି ଟନ୍‌ ପିଛା ଟ୍ୟାକ୍ସ ୧୩,୦୦୦ରୁ ବଢାଇ ୧୩,୩୦୦ ଟଙ୍କା କରାଯାଇଛି। ଚଳିତ ବର୍ଷ ଜୁଲାଇ ୧ରୁ ସରକାର ୱିଣ୍ଡଫଲ୍‌ ପ୍ରଫିଟ୍‌ ଟ୍ୟାକ୍ସ ଆରମ୍ଭ କରିଥିଲେ। ଆରମ୍ଭରେ ସରକାର ପେଟ୍ରୋଲ ଏବଂ ଏଟିଏଫ୍‌ର ରପ୍ତାନି ଉପରେ ୬ ଟଙ୍କା ପ୍ରତି ଲିଟର ଏବଂ ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩ ଟଙ୍କା ୱିଣ୍ଡଫଲ୍‌ ପ୍ରଫିଟ ଟ୍ୟାକ୍ସ ଲାଗୁ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହିପରି ଘରୋଇ ଅଶୋଧିତ ତୈଳର ବିକ୍ରି ଉପରେ ଟନ୍‌ ପିଛା ୨୩,୨୫୦ ଟଙ୍କା ୱିଣ୍ଡଫଲ୍‌ ପ୍ରଫିଟ ଟ୍ୟାକ୍ସ ଲାଗୁ କରିଥିଲେ। କିନ୍ତୁ ଜୁଲାଇ ୨୦ରେ ସରକାର ଦ୍ୱିତୀୟ ଥର ସମୀକ୍ଷା ବୈଠକ ପରେ ପେଟ୍ରୋଲ ରପ୍ତାନି ଉପରେ ଲାଗୁ କରାଯାଇଥିବା ଟ୍ୟାକ୍ସକୁ ହଟାଯାଇଥିଲା। ଏହା ସହ ଡିଜେଲ ଏବଂ ଏଟିଏଫ୍‌ ରପ୍ତାନି ଉପରେ ଟ୍ୟାକ୍ସକୁ ୧୩ରୁ ହ୍ରାସକରି ୬ ଟଙ୍କା କରାଯାଇଥିଲା। ସରକାରଙ୍କ ଏହି ନିଷ୍ପତ୍ତିର ସିଧା ପ୍ରଭାବ ଦେଶର ତୈଳ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଉପରେ ପଡିବ। ତେଲ ଉତ୍ପାଦନ କରୁଥିବା କମ୍ପାନୀ ଓଏନ୍‌ଜିସି, ପେଟ୍ରୋଲ ଡିଜେଲ ରପ୍ତାନି କରୁଥିବା କମ୍ପାନୀ ରିଏଲାନ୍ସ ଇଣ୍ଡଷ୍ଟ୍ରିଜ୍‌ ଏବଂ ନାୟରା ଏନର୍ଜି ପରି କମ୍ପାନୀ ଉପରେ ଏହା ପ୍ରଭାବ ପଡ଼ିବ।

Share